ତୁଳସୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ଶନିବାର

କେନ୍ଦ୍ରାପଡା, ୨୧/୬/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା ନିମନ୍ତେ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ନୀତିକାନ୍ତି ନିର୍ଘ ସ୍ଥିର କରାଯାଇଛି । ଶନିବାର ସକାଳ ୬ଟାରୁ ୭ଟା ଭିତରେ ବଳଭଦ୍ର, ସାନ ଭାଇ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯିବ । ସକାଳ ୭ଟା ୩୦ରେ ସ୍ନାନ ମଣ୍ଡପରେ ଜୟ ମଙ୍ଗଳା ଆଳତୀ ପୂର୍ବାହ୍ନ ୧୦ଟାରେ ସ୍ନାନ ବେଦୀରେ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଅନୁଷ୍ଠିତ ହେବ । ଏହି ଅବସରରେ ୧୦୮ କଳସୀ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯିବ । ମଧ୍ୟାହ୍ଣ ୧୨ଟାରେ ବଲ୍ଲଭ ମଣୋହୀ ନୀତି ହେବ । ଦିନ ଗୋଟାଏରେ ମଙ୍ଗଳାର୍ପଣ କରାଯିବ । ଦିନ ସାଢେ ଗୋଟାଏରେ ଗଜାନନ ବା ହାତୀ ବେଶରେ ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେବେ । ଦିନ ୨ଟାରେ ଖେଚୁଡ଼ି ଧୂପ ଅନୁଷ୍ଠିତ ହେବାକୁଥିବା ବେଳେ ରାତ୍ର ୯ଟାରେ ତିନି ଠାକୁର ଅଣବସର ଘରେ ପ୍ରବେଶ କରିବେ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ପ୍ରବଳ ଜନ ଗହଳିକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସ୍ନାନ ପୂର୍ଣ୍ଣିର୍ିମା ଅବସରରେ ହଜାର ହଜାର ଭକ୍ତ ସ୍ନାନ ବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ।

Leave a Reply

Your email address will not be published. Required fields are marked *