ଜିଲ୍ଲା ସ୍ତରୀୟ ବିଶ୍ୱ ଜନସଂଖ୍ୟା ପକ୍ଷ -୨୦୨୬ ପାଳିତ

ଜଗତସିଂହପୁର ୧୮/୦୭/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ସଭାଗୃହଠାରେ ବିଶ୍ୱ ଜନସଂଖ୍ୟା ପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର ସ୍ନିଗ୍ଧାମୟୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  ।  ଏ ବର୍ଷର ବାର୍ତ୍ତା ” ପିଲାଙ୍କ ଜନ୍ମରେ ରଖନ୍ତୁ ଉଚିତ ବ୍ୟବଧାନ, ସୁସ୍ଥ ଏବଂ ସୁଖୀ ହେବ ପାରିବାରିକ ଜୀବନ “। ଏହି ପକ୍ଷ ପାଳନର ଉଦେଶ୍ୟ ପରିବାର ନିୟୋଜନ ସଚେତନତାକୁ ବ୍ୟାପକ କରିବା, ସ୍ଥାୟୀ ଓ ଅସ୍ଥାୟୀ ଗର୍ଭ ନିରୋଧ ପଦ୍ଧତି ଦ୍ଵାରା ଜନସଂଖ୍ୟା ବୃଦ୍ଧିକୁ ନିୟଂତ୍ରଣ କରିବା ।

ପ୍ରଥମ ପକ୍ଷ ଜୁନ ୨୭ ତାରିଖରୁ ଜୁଲାଇ ୧୦ ତାରିଖ ପଯ୍ୟନ୍ତ ସଚେତନତା କରାଇବା ନିମନ୍ତେ ପୋଷ୍ଟର ଲଗାଇବା, ଲିଫଲେଟ ବଣ୍ଟନ, ସଚେତନତା ରଥ ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ କରାଯାଇଛି ଏବଂ ଆଶା ଓ ସ୍ୱାସ୍ଥ୍ୟକର୍ମୀ ମାନେ ପ୍ରତ୍ୟେକ ଦମ୍ପତିଙ୍କ ପାଖକୁ ଯାଇ ସେମାନଙ୍କୁ ସରକାରଙ୍କ ଦ୍ଵାରା ଉପଲବ୍ଧ ସମସ୍ତ ପରିବାର ନିୟୋଜନ ପଦ୍ଧତି ବିଷୟରେ ଅବଗତ କରାଉଛନ୍ତି ଓ ସେମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି ।  ଚଳିତ ବର୍ଷ ବିଶ୍ୱ ଜନସଂଖ୍ୟା ସିରତା ପକ୍ଷ ଜୁଲାଇ ୧୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି । ଏହି ପକ୍ଷରେ ସ୍ଥାୟୀ ପଦ୍ଧତି ମହିଳା ବନ୍ଧ୍ୟାକରଣ ଓ ପୁରୁଷ ବନ୍ଧ୍ୟାକରଣ ଏବଂ ଅସ୍ଥାୟୀ ପଦ୍ଧତି ଯଥା କପରଟି, ଅନ୍ତରା ଇଞ୍ଜେକ୍ସନ ପାଇଁ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ କ୍ୟାମ୍ପ ତାରିଖ ରଖାଯାଇଛି ।

ଗତବର୍ଷ ୨୦୨୫-୨୬ ରେ ପୁରୁଷ ବନ୍ଧ୍ୟାକରଣରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏରସମା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କୁଜଙ୍ଗ ଦ୍ୱିତୀୟ ଏବଂ ରଘୁନାଥପୁର ଓ ମଣିଜଙ୍ଗା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହିଳା ବନ୍ଧ୍ୟାକରଣରେ ଏରସମା, ରଘୁନାଥପୁର ଓ କୁଜଙ୍ଗ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।  ଜନ୍ମ ପରବର୍ତୀ ମହିଳା ବନ୍ଧ୍ୟାକରଣରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପ୍ରଥମ ସ୍ଥାନ ଅଧିକାର କରିଥିବା ସହ ଅସ୍ଥାୟୀ ପଦ୍ଧତି କପରଟି ରେ ମଧ୍ୟ ପ୍ରଥମ ସ୍ଥାନ ପାଇଛନ୍ତି ।

 କପରଟିରେ ଏରସମା ଦ୍ୱିତୀୟ ଓ ମଣିଜଙ୍ଗ ତୃତୀୟ ସ୍ଥାନ ପାଇଛନ୍ତି । ଅନ୍ତରା ଇଞ୍ଜେକ୍ସନରେ ଏରସମା ପ୍ରଥମ, କୁଜଙ୍ଗ ଦ୍ୱିତୀୟ ଓ ମଣିଜଙ୍ଗା ତୃତୀୟ ସ୍ଥାନ ହାସଲ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ଜେନା ,ଏବଂ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ( ପରିବାର ନିୟୋଜନ ) ଡାକ୍ତର ପ୍ରମୋଦ କୁମାର ବାରିକ, ରାଜ୍ୟରୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଆର. ଏମ. ଏନ. ସି. ଏ ଏଚ. କନ୍ସଲଟାଣ୍ଟ ସରୋଜ ପାଣିଗ୍ରାହୀ  ବିଭିନ୍ନ ପରିବାର ନିୟୋଜନ ପଦ୍ଧତିରେ ସ୍ଥାନ ପାଇଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଓ କର୍ମକର୍ତାମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ପରିବାର ନିୟୋଜନ ପଦ୍ଧତିରେ ଭଲ ପ୍ରଦର୍ଶନ କରିଥିବା ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ ମାନଙ୍କୁ  ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।

 ପରିବାର ନିୟୋଜନ ପଦ୍ଧତିରେ ମୋଟାମୋଟି ଭାବରେ ଭଲ ପ୍ରଦର୍ଶନ କରିଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏରସମା (ପ୍ରଥମ ), କୁଜଙ୍ଗ ( ଦ୍ୱିତୀୟ ) ଓ ମଣିଜଙ୍ଗା ( ତୃତୀୟ ) ମାନଙ୍କୁ ମଧ୍ୟ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି ।  ସେହିପରି ମହିଳା ବନ୍ଧ୍ୟାକରଣ (ଲାପରସ୍କୋପିକ ) ଅପରେସନ କରିଥିବା ଡାକ୍ତର ସୁକାନ୍ତ କୁମାର ଦଳାଇ, ଡାକ୍ତର ସୁବାଷ ଚନ୍ଦ୍ର ବେହେରା, ଡାକ୍ତର ସରୋଜ କୁମାର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି । ପୁରୁଷ ବନ୍ଧ୍ୟାକରଣରେ ଡାକ୍ତର ସୈଖ କାସିଫ ସାହାଜାଦା ଏବଂ ମିନିଲାପ ଅପେରସନରେ ଡାକ୍ତର ଦିଲ୍ଲୀପ ସାଗର ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଅଛି ।

           ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟଂତ୍ରଣ ) ଡାକ୍ତର ବାସନ୍ତୀ ପାଲ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟି. ବି.) ଡାକ୍ତର ରଶ୍ମି ରଞ୍ଜନ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡି.) ଡାକ୍ତର ସନ୍ତୋଷ କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଷ୍ନୁପ୍ରିୟା ସେଠି, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ସୁଶାନ୍ତ କୁମାର ମହାନ୍ତି , ସମସ୍ତ ବ୍ଲକର ସି.ଡି.ପି.ଓ.,  ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଏବଂ ଜିଲ୍ଲାର ସମସ୍ତ କନ୍ସଲଟାଣ୍ଟ ମାନେ ଉପସ୍ଥିତ ଥିଲେ ।  ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳିକା ସନ୍ଧ୍ୟାରାଣୀ ପଣ୍ଡା ସଭା ପରିଚଳନା କରିଥିବାବେଳେ ସହାୟକ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସୁବ୍ରତ କୁମାର ମହାପାତ୍ର ସମସ୍ତ ସହଯୋଗ ଓ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *