ଅଙ୍ଗନବାଡ଼ିର ବିକାଶ ହେଲେ ଉଭୟ ମା’ ଓ ଶିଶୁଙ୍କର ବିକାଶ ହେବ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ସମୀକ୍ଷା

      ଅଙ୍ଗନବାଡି ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ

      ଛତୁଆର ଗୁଣବତ୍ତାକୁ ରେଗୁଲାର ଯାଞ୍ଚ କରିବା ସହ ମାନ ବୃଦ୍ଧି କରିବାକୁ ଦେଲେ ପରାମର୍ଶ

      ଡିଜିଟାଲାଇଜେସନ ସହ ଅଙ୍ଗନବାଡି ସଦସ୍ୟଙ୍କ ଗୁଣବତ୍ତା ତାଲିମ ଓ ବୀମା ସୁବିଧାକୁ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ

      ମହିଳା ହେଲପ ଲାଇନ କୁ କଲେ ଟେଷ୍ଟ କଲ

        ଭୁବନେଶ୍ୱର,୨୦/୬/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗତକାଲି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ଶିଶୁ ବିଭାଗର ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ବିଳମ୍ବ ରାତି ପର୍ଯ୍ୟନ୍ତ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

        ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ବିଭାଗୀୟ କାର୍ଯ୍ୟର ସଫଳତା, ଯୋଜନା ଓ ଆହ୍ୱାନ ସମ୍ପର୍କରେ ଉପସ୍ଥାପନ କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ତୃଣମୂଳ ସ୍ତରର ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିବା ସହିତ ବିଭିନ୍ନ ବିଭାଗର ସହଭାଗିତାରେ ସମସ୍ୟାର ସମାଧାନ କରି କିପରି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଅଙ୍ଗନବାଡି ସଦସ୍ୟଙ୍କୁ ରେଗୁଲାର ତାଲିମ ଓ ବୀମା ସୁବିଧା ଯୋଗେଇଦେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନବାଡିରେ ଦିଆଯାଉଥିବା ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିକୁ ନିୟମିତ ଯାଞ୍ଚ କରିବା ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏଥି ସହ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ‘ଯୋଗ’କୁ ମା’ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ପୁଣି ମହିଳା ହେଲପ ଲାଇନର କାର୍ଯ୍ୟକାରିତାକୁ ଯାଞ୍ଚ କରିବା ପାଇଁ ବୈଠକରେ ବସି ମହିଳା ହେଲପ ଲାଇନ ନମ୍ବରକୁ ଟେଷ୍ଟ କଲ ମଧ୍ୟ କରିଥିଲେ । କର୍ମଜୀବୀ ମହିଳା ହସେଫଲର ସଂଖ୍ୟାକୁ ତ୍ୱରାନ୍ୱିତ କରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କ୍ରେଚର ସୁବିଧା ଯୋଗେଇଦବାକୁ ସେ ପରାମର୍ଶ ଦେଇଛନ୍ତି । ସୁଭଦ୍ରା ଯୋଜନାରେ ମାର୍ଗଦର୍ଶିକ ପ୍ରସ୍ତୁତ କରି ୧୦୦ ଦିନରେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳାଙ୍କ ପ୍ରତି ଅପରାଧ (crime against  women)କୁ ଅଗ୍ରାଧିକାର ଦେଇ ଶ୍ରୀମତୀ ପରିଡା ମହିଳା ଓ ଶିଶୁ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ମହିଳା ଆୟୋଗକୁ ଅପୋଷ ସମାଧାନ ଓ କ୍ୟାମ୍ପ କୋର୍ଟ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପେଣ୍ଡିଂ କେସ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଶାଖା ଗାଇଡଲାଇନ କାର୍ଯ୍ୟକାରୀ କରିବା ବିଷୟରେ ତର୍ଜମା କରିବାକୁ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ବିଭାଗକୁ ପ୍ରସ୍ତାବ ଦେଇଛନ୍ତି ।

        ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ବିଭାଗୀୟ ନିର୍ଦ୍ଦେଶକ ମୋନିଶା ବାନାର୍ଜୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *