କେନ୍ଦ୍ରାପଡ଼ା, ୨୯/୦୮/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗରାପୁର ନେତାଜୀ ଯୁବ ପରିଷଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କପାଳେଶ୍ୱର ପଂଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ମୃତୁ୍ୟଞ୍ଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓ ସଂପାଦକ ସରୋଜକାନ୍ତ ସାହୁଙ୍କ ପରିଚାଳନାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ସଭାପତି ଘୋଷଣା କରିଥିଲେ ଯେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାରେ ପୂଜା ସହିତ ସେବା ମୂଳକ କାର୍ଯ୍ୟ ମଧ୍ୟ କରାଯିବ । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ନିମନ୍ତେ ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହିପରି ପରିଷଦର ସଦସ୍ୟମାନେ ଟ୍ରାଫିକ ପରିଚାଳନା ପାଇଁ ପୋଲିସକୁ ସହଯୋଗ କରିବେ । ଏଥିସହ ଶାନ୍ତିଶୃଙ୍ଖଳାର ସହ କିପରି ପୂଜା ହୋଇପାରିବ ସେ ନେଇ ପରିଷଦ ଗୁରୁତ୍ୱ ଦେବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିନ୍ଟୁ ମହାନ୍ତି, ଜୟନ୍ତ ମହାନ୍ତି, ଅଜୟ ମଲ୍ଲିକ, ଅନନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
