କେନ୍ଦ୍ରାପଡାରେ ପଂଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ

କେନ୍ଦ୍ରାପଡ଼ା,୧୯/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ସମେତ ଆଖପାଖ ଅଂଚଳରେ ବଡ ଧୁମଧାମରେ ପଂଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଛାମୁ ମେଳଣରେ ବିଭିନ୍ନ ଅଂଚଳରୁ ଆସିଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତି ବିମାନରେ ସଜ୍ଜିତ ହୋଇ ବାଜାବଜାଇ, ବାଣଫୁଟାଇ ରୋଷଣିକରି ଯୋଗ ଦେଇଥିଲେ ।

ମଙ୍ଗଳବାର ରାତିରେ ବହୁ ଦୋଳ ବିମାନ ସହରସ୍ଥିତ ପୁରୁଣା ବସ୍ ଷ୍ଟାଣ୍ଡ ରେ ଅନୁଷ୍ଠିତ ମେଲଣରେ ଏକାଠି ହୋଇଥିଲେ । ବୁଧବାର ପ୍ରତୁ୍ୟଷରୁ ବାଲିପାଟଣାର ଲଛମନଜୀୟୁଙ୍କ ସହିତ ଅନ୍ୟ ସମସ୍ତ ବିମାନ ଏକାଠି ହେବା ପରେ ସେଠାରେ ଭୋଗଲାଗି କରାଯାଇଥିଲା ।

ଏହି ଅବସରରେ ପୁରୁଣା ବସ୍ ଷ୍ଟାଣ୍ଡ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବାଲିପାଟଣାର ଲଛମନଜୀୟୁ,ଗଣାମାହାଲସ୍ଥିତ ବିନୋଦ ବିହାରୀ,ପାହାଡପୁର ମଠର ନୃସିଂହଜୀଉ, ଚାଟରାପାଟଣାର ରାଧାଗୋବିନ୍ଦ ଜୀଉ, ବଣିଆମାଳର ନୃସିଂହନାଥ,ଗରାପୁରର ରଘୁନାଥ ଜୀଉ,ଗୁଲନଗରର ମଦନମୋହନ ଓ ବୁଢା ଗୋବିନ୍ଦଙ୍କ ସହିତ ପ୍ରାୟ ୧୭ଗୋଟି ବିମାନ ଏହି ମେଳଣରେ ଅଂଶଗ୍ରହଣ କରିଥିଲେ ।

ଇଚ୍ଛାପୁରସ୍ଥିତ ଶ୍ରୀ ବଳଦେବ ଜୀଉଙ୍କ ଛାମୁ ମେଲଣ ଶେଷ ହେବା ପରେ ଶ୍ରୀ ଲଛମନ ଜୀଉଙ୍କ ସମେତ ଅନ୍ୟ ବିମାନ ଗୁଡିକ ସହରର ବିଭିନ୍ନ ସ୍ଥାନରେ ଭୋଗ ଖାଇବା ପରେ ନିଜ ନିଜ ଅଂଚଳରକୁ ଫେରିଯାଇଥିଲେ ।

ଏହି ମେଲଣ ଦେଖିବାକୁ ଆଖପାଖ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପ୍ରଭୁ ଶ୍ରୀ ବଳଦେବଜୀଉ ଆଜି ମେଳଣ ଆୟୋଜନ କରି ହୋଲି ଖେଳିବାର ପରମ୍ପରା ରହିଛି । ତେଣୁ କେନ୍ଦ୍ରାପଡାର ଲୋକମାନେ ଆଜି ହୋଲି ଖେଳରେ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରୀ ବଳଦେବଜୀଉଙ୍କର ସ୍ୱତନ୍ତ୍ର ଫଗୁ ବେଶ ଅନୁଷ୍ଠିତ ହୋଇଥିଲା । ସହର ଓ ଆଖପାଖ ଅଂଚଳରେ ଲୋକମାନେ ଉତ୍ସାହର ସହ ଆଜି ହୋଲି ଖେଳିଛନ୍ତି । କେନ୍ଦ୍ରାପଡାରେ ଆଜି ଶାନ୍ତିଶୃଙ୍ଖଳାର ସହ ହୋଲି ଖେଳ ଶେଷ ହୋଇଛି ।

Leave a Reply

Your email address will not be published. Required fields are marked *