ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର

ପୁରୀ,୧୯/୬/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ। ଅର୍ଥାତ୍‌ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପରଦିନ ଭଣ୍ଡାର ଖୋଲିବାକୁ ଯାଉଛି। ବୁଧବାର ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀକ୍ଷକ ଡି. ବି. ଗଡ଼଼ନାୟକ। । ତାଙ୍କ ସୂଚନା ଅନୁଯାୟୀ କୋର କମିଟି ଓ ବୈଷୟିକ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ।ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି। ସ୍କାନିଂରୁ ପାର୍ଶ୍ବ କାନ୍ଥରେ କ୍ରାକ୍ ଥିବା ଜଣାଯାଇଛି। ଏହାଫଳରେ ରତ୍ନଭଣ୍ଡାର ଭିତରେ ପାଣି ପଶିଥିବ। ରତ୍ନଭଣ୍ଡାର ଅନୁଧ୍ୟାନ କରାଯିବା ପରେ ତାହାର ମରାମତି କରାଯିବ। ରତ୍ନଭଣ୍ଡାର ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟଙ୍କୁ କମିଟି ଗଠନ କରାଯାଇଛି। ୨୦୧୮ ହୋଇଥିବା ଯାଞ୍ଚର ରିପୋର୍ଟ ଅନୁସାରେ ରତ୍ନଭଣ୍ଡାର ବାହାର ଓ ଭିତରେ ଯାହା କିଛି ସମସ୍ୟା ରହିଛି ତାକୁ ମରାମତି କରାଯିବା ସହ ରତ୍ନଭଣ୍ଡାର ଭିତରେ ଥିବା ସୁନା ଅଳଙ୍କାରର ମଣୋତି କରାଯିବ। ତେବେ ଶ୍ରୀମନ୍ଦିର ପ୍ରଶାସନ, ପଶାୟତ କମିଟିର ଉପସ୍ଥିତିରେ ଏଏସଆଇ ଟିମ୍ ୮ ଦିନ ଭିତରେ ଏହି କାର୍ଯ୍ୟକୁ ସମାପ୍ତ କରିବାକୁ ଚେଷ୍ଟା କରିବ ବୋଲି ସୂଚନା ରହିଛି।

ମହାପ୍ରଭୁଙ୍କର ଦୁଇଟି ରତ୍ନଭଣ୍ଡାର ଅଛି। ଗୋଟିଏ ଭିତର ଓ ଅନ୍ୟଟି ବାହାର ରତ୍ନଭଣ୍ଡାର। ପ୍ରତିବର୍ଷ ରଥଯାତ୍ରା ଓ ମହାପ୍ରଭୁଙ୍କ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ ବାହାର ରତ୍ନଭଣ୍ଡାରରୁ ରତ୍ନ ଆଭୂଷଣ ଅଣାଯାଇ ବେଶ କରାଯାଇଥାଏ। କିନ୍ତୁ ଭିତର ରତ୍ନଭଣ୍ଡାର ବନ୍ଦ ରହିଥିବାରୁ ସେଠାରେ କେତେ ପରିମାଣର ଆଭୂଷଣ ରହିଛି ତା’ର ସବିଶେଷ ବିବରଣୀ କାହା ପାଖରେ ନାହିଁ। ଏପରି କି ଭିତର ରତ୍ନଭଣ୍ଡାରରେ ୭ଟି ଭଣ୍ଡାର ଘର ଥିବା ଥିବା କୁହାଯାଉଛି।

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ବିଜେପି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଆସିଥିଲା। ରାଜ୍ୟରେ ବିଜେପି ସରକାର ଗଢ଼ିଲେ ରତ୍ନଭଣ୍ଡାର ଖୋଲାଯିବା ସହିତ ଚାବି ହଜିବା ଘଟଣାର ତଦନ୍ତ କରାଯିବ। ତଦନୁଯାୟୀ ବିଜେପି ସରକାର ଗଠନ କରିବା ପରେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *