ଯାଜପୁର, ୦୭/୦୩/୨୦୨୬ (ଓଡ଼ିଶା ସମାଚାର)-ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଯାଜପୁର, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ମାଇ ଭାରତ, ଯାଜପୁର ପକ୍ଷରୁ ସ୍ଥାନୀୟ ଇଣ୍ଡର ଷ୍ଟାଡିୟମ୍ ପରିସରରେ “ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଛାତ୍ରଛାତ୍ରୀ ଏବଂ ମହିଳାମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ବକ୍ତବ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ କହିଥିଲେ ଯେ ନାରୀ ସଶକ୍ତ ହେଲେ ହିଁ ରାଷ୍ଟ୍ରର ଉନ୍ନତି ହୋଇପାରିବ ଏବଂ ଏଥିପାଇଁ ଉତ୍ତମ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ ଯୋଗ ଦେଇ ଭାରତୀୟ ଇତିହାସରେ କିଛି ପରାକ୍ରମୀ ଓ ସାହସୀ ମହିଳାଙ୍କ ଉଦାହରଣ ଦେଇଥିଲେ। ଅତିଥିମାନେ ଆତ୍ମରକ୍ଷା ତାଲିମ ଦେଉଥିବା ଟ୍ରେନରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତିନି ଦିନ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଉତ୍ତମ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ବ ଦିଆଯାଇ ଜୁଡୋ, କରାଟେ, ବକ୍ସିଂ ଭଳି ଆତ୍ମରକ୍ଷା କୌଶଳ ତାଲିମ ଦିଆଯାଇଥିଲା।
