କେନ୍ଦ୍ରାପଡ଼ା,୦୧/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପୌରପାଳିକା ଟାଉନ ହଲରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୯୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୧୭୬ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୧୯ ଟି ସାମୂହିକ ଅଭିଯୋଗ ରହିଥିଲା ।
ଅଭିଯୋଗ ଗୁଡିକ ମଧ୍ୟରେ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଅବକାରୀ, ଶିକ୍ଷା, ମଙ୍ଗଳ ବିଭାଗ, ସମାଜ ମଙ୍ଗଳ ବିଭାଗ ବ୍ୟତୀତ ବ୍ୟାଙ୍କ ସଂକ୍ରାନ୍ତିୟ ଅଭିଯୋଗ
ପଞ୍ଜିକୃତ ହୋଇଥିଲା । ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୩ ଜଣଙ୍କୁ ୫୦ ହଜାର ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ପଞ୍ଜିକୃତ ହେଇଥିବା ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ଉପରେ ପଦକ୍ଷେପ ନେବାକୁ ଜିଲାପାଳ ରଘୁରାମ ଆର. ଆୟାର ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତିଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଂଟ ର ଯନ୍ତ୍ରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକର ଶୁଣାଣିରେ ସହାୟତା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା ସୋମବାର ଅର୍ଥାତ ୮ ତାରିଖରେ ଆଳି ବ୍ଲକ କାର୍ଯ୍ୟାଳୟ, ୧୫ ତାରିଖରେ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ଓ ୨୨ ତାରିଖରେ ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଜିଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।
