ନିରାକାରପୁର, ୧୧/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ବିଧାୟକ ରୂପେ ନିର୍ବାଚିତ ହେବାପରେ ପ୍ରଶାନ୍ତ ଜଗଦ୍ଦେବ ପ୍ରଥମ ଥର ମା ଉଗ୍ରତାରା ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରସିଦ୍ଧ ଶକ୍ତି ଓ ତନ୍ତ୍ର ପୀଠକୁ ବିଧାୟକ ଆଜି ପୂର୍ବାହ୍ନ ରେ ଦର୍ଶନ କରିବାକୁ ଯାଇଥିଲେ। ଉଗ୍ରତାରା ପୀଠ ଠାରେ ପ୍ରତିବର୍ଷ ଅନୁଷ୍ଠିତ ରଜ ମହୋତ୍ସବ ୩ ଦିନ ଚାଲିଥାଏ।ମାତ୍ର ବିଧାୟକଙ୍କ ପ୍ରସ୍ତାବ କ୍ରମେ ଏହି ମହୋତ୍ସବ କୁ ୫ ଦିନକୁ ବୃଦ୍ଧି କରାଯିବା ପାଇଁ ଆଲୋଚନା ହୋଇଥିବା ଟାଙ୍ଗୀ ତହସିଲଦାର ମିତାଲୀ ପାତ୍ର ଜଣାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ମୁଳିଝରଗଡ ସ୍ଥିତ ପ୍ରସିଦ୍ଧ ଶକ୍ତି ଓ ତନ୍ତ୍ର ପୀଠରେ ରଜରେ ପ୍ରସିଦ୍ଧ ରଜ ଯାତ୍ରା ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ମା ଉଗ୍ରତାରା ମହୋତ୍ସବ ୩ ଦିନ ଚାଲିଥିଲା। ଏହି ସମୟରେ ବହୁ ଦୂରଦୂରାନ୍ତରୁ ଲୋକ ମାନେ ଆସି ମା ଙ୍କୁ ଦର୍ଶନ କରିବା ସହିତ ପଡ଼ିଥିବା ଭଳି କି ଭଳି ଦୋକାନ ବଜାର ରୁ ବିଭିନ୍ନ ଜିନିଷ ପତ୍ର କିଣି ନେଇଥାନ୍ତି। ସେହି ଭଳି ଏହି ଅବସରରେ ମନ୍ଦିର ପରିସରରେ ଅନୁଷ୍ଠିତ ୩ ଦିନିଆ ମହୋତ୍ସବକୁ ଉପଭୋଗ କରନ୍ତି। ଏ ନେଇ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମସ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଶେଷ ପର୍ଯ୍ୟାୟ ରେ ପହଞ୍ଚି ଥିବାବେଳେ ଆଜି ନବ ନିର୍ବାଚିତ ବିଧାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଭାରେ ବିଧାୟକ ଏହି ମହୋତ୍ସବକୁ ୩ ଦିନରୁ ବଢାଇ ୫ ଦିନ କରିବାକୁ ପ୍ରସ୍ତାବ ରଖିଥିଲେ। ଆଜି ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଦିପ୍ତୀ ରଂଜନ ସେଠୀ , ବିଡ଼ିଓ ରେସମା ଟେଟେ ଓ ତହସିଲଦାର ମିତାଲି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ମାଆଙ୍କ କୃପାରୁ ଏହି ୫ ଦିନ ଉତ୍ସବଟିକୁ ଜାତି, ଧର୍ମ, ରାଜନୀତି ଓ ଦଳମତ ରୁ ବହୁ ଉର୍ଦ୍ଧ୍ୱରେ ରହି ଅଞ୍ଚଳ ବାସୀଙ୍କୁ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।