ବନ ବିଭାଗର ବେଆଇନ କାର୍ଯ୍ୟ ବିରୁଦ୍ଧରେ ରାମଚଣ୍ଡୀ କୃଷକସଭାର ଜିଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୧୧/୬/୨୦୨୪ (ଓଡ଼ିଶା ସମାଚାର)- ବନ ବିଭାଗର ବେଆଇନ କାର୍ଯ୍ୟ ବିରୁଦ୍ଧରେ ରାମଚଣ୍ଡୀ କୃଷକସଭା ପକ୍ଷରୁ ଆଜି ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରାଯାଇଛି । ସେହି ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ମହାକାଳପଡା ତହସିଲ ଅଧିନ ଯୋଗିଧାନକୁଦର କନ୍ଧ ଚାଷୀମାନଙ୍କୁ ରାଜନଗର ଡି.ଏଫ.ଓ.ଙ୍କ ନିର୍ଦେଶରେ ତାଙ୍କ କର୍ମଚାରୀମାନେ ବିଭିନ୍ନ ସମୟରେ କନ୍ଧଚାଷୀଙ୍କ ଅକ୍ତିଆରରେ ଥିବା ଜମି ଉପରକୁ ନଯିବା ପାଇଁ ଧମକଚମକ ଦେଉଛନ୍ତି । କନ୍ଧଚାଷୀମାନେ ସି.ଏସ.ନମ୍ବର- ୫୨୯/୨୦୧୮ରେ କେନ୍ଦ୍ରାପଡା କନିଷ୍ଠ ଡିଭିଜନର ସିଭିଲଜଜ୍ଙ୍କ କୋର୍ଟରେ ସେମାନଙ୍କ ଦଖଲରେ ଥିବା ଚାଷଜମିରେ ଡି.ଏଫ. ଓ. ରାଜନଗର ଏବଂ କେନ୍ଦ୍ରାପଡା ଜିଲାପାଳଙ୍କ ପ୍ରବେଶ ଉପରେ ପରମାନେଟ୍ ଇେଞ୍ଜକସନ୍  ଜାରି କରାଯିବା ପାଇଁ ଏକ ମାମଲା ଦାୟର କରିଥିଲେ । ଗତ ୧୩.୦୩. ୨୦୧୯ରିଖରେ କେନ୍ଦ୍ରାପଡା କନିଷ୍ଠ ଡିଭିଜନର ସିଭିଲଜଜ୍ କୋର୍ଟ ବିବାଦୀୟ ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ପ୍ରଦାନ କରିଥିଲେ । କିନ୍ତୁ ଗତ ୨୧.୫.୨୦୧୯ରିଖରେ ରାଜନଗର  ଡିଏଫଓଙ୍କର ୬୦ଜଣ କର୍ମଚାରୀ ପୋଲିସ ଫୋର୍ସ ସହିତ ସେହି ବିବାଦୀୟ ଜମିରେ ପ୍ରବେଶ କରି କନ୍ଧଚାଷୀଙ୍କ ପଶ୍ଚିମତରଫରେ ଥିବା ଏକଶହ ଫୁଟ୍ ଚଉଡାର ଘେରିବନ୍ଧଙ୍କୁ ଜୋରଜବରଦସ୍ତି ଭାଙ୍ଗିଦେବା ସହ ସେଠାରେ ଥିବା ଏକ ଚାଳଘରକୁ ନଷ୍ଟ କରିଦେଇଥିଲେ । ଏଥିସହିତ ସେହି ଜମି ଉପରେ ୧୫ଶହ ଚାରାଗଛ ରୋପଣ କରିଥିଲେ । କନ୍ଧଚାଷୀମାନେ ଏଭଳି ଘଟଣାର ପ୍ରତିବାଦ କରନ୍ତେ ସେମାନେ ତାଙ୍କୁ ଗିରଫ କରି ଜେଲ ପଠାଇଦେବବାକୁ ଧମକ ଦେଇଥିଲେ । ଏସମ୍ପର୍କରେ କନ୍ଧଚାଷୀମାନେ କୋର୍ଟରେ ପ୍ରମାଣ ଦର୍ଶାଇବା ପରେ କୋର୍ଟ ବନ ବିଭାଗର ସେହି ଜମିରେ ପ୍ରବେଶ ଉପରେ କଟକଣା ଲଗାଇଥିଲେ ।  ଏହା ବିରୁଦ୍ଧରେ ବନ ବିଭାଗ ଜିଲାଜଜଙ୍କ କୋର୍ଟରେ ଅପିଲ କରିବା ପରେ ସେହି ମାମଲାର ବିଚାର କରି ଅପ୍ରେଲମାସ ୮ତାରିଖରେ କେନ୍ଦ୍ରାପଡା ଜିଲା ଜଜ୍ ଉକ୍ତ ବିବାଦୀୟ ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେବା ସହ ଜମ୍ବୁ ମେରାଇନ ଥାନା ପୋଲିସକୁ ଆବଶ୍ୟକ ସୁରକ୍ଷା ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି । କିନ୍ତୁ ଏସବୁ ସତ୍ୱେ ବନ ବିଭାଗ ଜୋରଜବରଦସ୍ତ ସେହି ବିବାଦୀୟ ଜମିରେ ପ୍ରବେଶ କରି କନ୍ଧଚାଷୀଙ୍କ ଘର ଭାଙ୍ଗିଥିବା ରାମଚଣ୍ଡୀ କୃଷକସଭାର ସଭାପତି ପ୍ରଶାନ୍ତ କୁମାର ଚୌଧୁରୀ, ଉପସଭାପତି ଧିରେନ୍ଦ୍ର କୁମାର ସାମଲ, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ସାହୁ, ସଂଗଠନ ସମ୍ପାଦକ ହରେକୃଷ୍ଣ ମାଝୀ, ଯୋଗୀଧାନକୁଦର ହାଡିବନ୍ଧୁ ସେଠୀ, ଉପଦେଷ୍ଟା ଆଇନଜୀବୀ ରମଣିରଞ୍ଜନ ରାଉତରାୟ, ବସନ୍ତ ଖଟାଇ, ଭରତ ଚନ୍ଦ୍ର ସେଠୀ, ଶ୍ୟାମସୁନ୍ଦର ସାମଲ, ଧଡି ପରିଡା ପ୍ରମୁଖ  ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲାପାଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏଥିସହିତ ଅଭିଯୋଗକାରୀମାନେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସମସ୍ତ ଘଟଣା ଅବଗତ କରାଇବା ପରେ ଶ୍ରୀ ଧଳ ଜମ୍ବୁ ସାମୁଦ୍ରକ ଥାନାକୁ ଆଇନ ଅନୁଯାଇ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *