କେନ୍ଦ୍ରାପଡ଼ା,୨୩/୦୨/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ମହିପାଳ ସ୍ଥିତ କୁନ୍ତଳାକୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟରେ ଚାଲିଥିବା ବାର୍ଷିକ ପରୀକ୍ଷା ଶେଷ ହୋଇଛି । ଏଥିରେ କୁନି କୁନି ଚିତ୍ରଶିଳ୍ପୀମାନେ ସେମାନଙ୍କ କରିସ୍ମା ଦେଖାଇଛନ୍ତି । ପିଲାମାନେ ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତରେ ସଚେତନତା ବାର୍ତା ଥିବା ଚିତ୍ର, ଗ୍ରୀଷ୍ମ ଲହରୀରୁ କିପରି ରକ୍ଷା ପାଇ ହେବ ସେ ସଂକ୍ରାନ୍ତୀୟ ଚିତ୍ର, ଗ୍ରୀନ୍ ହାଉସ ଗ୍ୟାସକୁ ରୋକିବା ପାଇଁ ହେଲେ ସବୁଜ ବଳୟ ସୃଷ୍ଟି କରିବାର ଚିତ୍ର, ଜଳବାୟୁ ପରିବର୍ତନକୁ ରୋକିବା ପାଇଁ କେଉଁ ପଦକ୍ଷେପମାନ ନେଇ ହେବ ତାହା ଉପରେ ଚିତ୍ର ଆଙ୍କି ସମାଜକୁ ସୁନ୍ଦର ବାର୍ତା ଦେଇଛନ୍ତି । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେବା ପରେ ବିଦ୍ୟାଳୟ ତା’ର ପ୍ରଥମ ବାର୍ଷିକ ପରୀକ୍ଷା ଓଡିଶା ଲଳିତ କଳା ଏକାଡେମୀ ତତ୍ୱାବଧାନରେ ଅୟୋଜନ କରିଛି । ଚଳିତ ବର୍ଷ ପ୍ରାଥମିକ ପରୀକ୍ଷାରେ ମୋଟ ୩୫ ଜଣ କୁନି କଳାକାର ଭାଗ ନେଇଛନ୍ତି ।
ଏଥିରେ କନିଷ୍ଠ ଭାଗ-୧, ଭାଗ-୨ ଓ ବରିଷ୍ଠ ଭାଗ-୧ ଓ ଭାଗ-୨ ପରୀକ୍ଷା ହୋଇଥିଲା । କେନ୍ଦ୍ରାପଡା ସହରରେ ଏପରି ପରୀକ୍ଷା କରି ପ୍ରମାଣପତ୍ର ଦେଉଥିବା ଅନୁଷ୍ଠାନ କୁନ୍ତଳାକୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ ୨୦୨୧ ମସିହାରେ ଆରମ୍ଭ ହୋଇଥିଲା । ଦୀର୍ଘ ପାଂଚ ବର୍ଷ ଧରି ପିଲାମାନଙ୍କୁ କଳା ଶିକ୍ଷା ଦେଇ ଆସୁଥିବା ଏହି କଳା ଶିକ୍ଷା ଅନୁଷ୍ଠାନକୁ ଏ ବର୍ଷ ଓଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତ ବିଭାଗ ଅଧିନରେ ଥିବା ଲଳିତ କଳା ଏକାଡେମୀ ସ୍ୱୀକୃତି ଦେଇଛି । ଏହି ଅନୁଷ୍ଠାନ ପିଲାମାନଙ୍କୁ କଳାଶିକ୍ଷା ଦେଇ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରୁଛି ବୋଲି ପ୍ରଧାନ ଗୁରୁଜୀ ଅଶୋକ ନାୟକ କହିଛନ୍ତି । ଜିଲାର କଳା ଓ ସଂସ୍କୃତି କ୍ଷେତ୍ରରେ ଉନ୍ନତି ଓ ରାଜ୍ୟରେ ଏହାର ପ୍ରାଧାନ୍ୟ ଦେବା ଉଦ୍ଧେଶ୍ୟରେ ସେ ଏହି କଳା ଶିକ୍ଷାନୁଷ୍ଠାନ ଗଢିଛନ୍ତି ବୋଲି କହିଛନ୍ତି ।
ଏହି ଅବସରରେ ଉପସ୍ଥିତ ଅଭିଭାବକ ମାନେ ବିଦ୍ୟାଳୟ ଓ ସରକାରଙ୍କୁ ସାଧୁବାଦ ଦେଇଥିଲେ । ଆଗାମୀ ଦିନର କେନ୍ଦ୍ରାପଡା ଯେପରି ସମଗ୍ର ରାଜ୍ୟ ଓ ଦେଶରେ କଳା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ସେ ନେଇ ଏହି ବିଦ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଦ୍ୟାଳୟର ମୁଖ୍ୟ ଜାତୀୟ ସ୍ତରୀୟ ଚିତ୍ରଶିଳ୍ପୀ ଅଶୋକ କୁମାର ନାୟକ ମତବ୍ୟକ୍ତ କରିଛନ୍ତି । ଏଥିରେ ବିଦ୍ୟାଳୟର ଗୁରୁମା ଅନିତା ନାୟକ, ବିଶ୍ୱଜିତ ଲେଙ୍କା, ମାଧବୀ ମୁର୍ମୁ, କୃପାସିନ୍ଧୁ ଦାସ, ଗୀତାଞ୍ଜଳୀ ଗିରି, ଚିନ୍ମୟୀ ପଣ୍ଡା, ଜୟନ୍ତ ସାହୁ, ସରୋଜ ମହାରଣା, ସଂଘମିତ୍ରା ମଲ୍ଲିକ ଓ ଦିପ୍ତୀ ସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
