ଫୁଲବାଣୀ, ୨୮/୦୫/୨୦୨୪ (ଓଡ଼ିଶା ସମାଚାର)- ପୁଲିସ ଇନ୍ଫର୍ମର୍ ସନ୍ଦେହରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲି ପଞ୍ଚାୟତ ବାରିପଙ୍ଗା ଗ୍ରାମର ଗ୍ରସକା ରୋହିତଙ୍କ ପୁଅ ମେଟଲା ରୋହିତଙ୍କୁ ମାଓବାଦୀମାନେ ନିର୍ମମ ହତ୍ୟା କରିଛନ୍ତି। ଗତ ୨୫ ତାରିଖ ସନ୍ଧ୍ୟା ସମୟରେ ବିଜିଏନ୍ (ବଂଶଧାରା-ଘୁମୁସର-ନାଗାବଳୀ) ମାଓ ଡିଭିଜନର ୧୨ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ମେଟଲା ରୋହିତଙ୍କୁ ତାଙ୍କ ଘରୁ ଉଠାଇ ନେଇ ଯାଇଥିବା ବେଳେ ଦୁଇଦିନ ଧରି ଘର ଲୋକେ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଆଜି ସକାଳୁ ମେଟଲାଙ୍କ ମୃତଦେହ ନିକଟସ୍ଥ ବାରିପଙ୍ଗା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟରୁ ମିଳିଥିଲା।ମାଓବାଦୀମାନେ ମେଟଲାଙ୍କ ମୃତଦେହକୁ ପଲିଥିନ୍ରେ ଗୁଡ଼ାଇ ବାରିପଙ୍ଗା ଅଙ୍ଗନବାଡ଼ି ନିକଟରେ ଫିଙ୍ଗିଦେଇ ଚାଲିଯାଇଥିବା ସହ ଶବ ନିକଟରେ ମାଓବାଦୀ ଏକ ହାତଲେଖା ଚିଠି ମଧ୍ୟ ଛାଡ଼ି ଯାଇଛନ୍ତି। କନ୍ଧମାଳ ଏସ୍ପି ଶୁଭେନ୍ଦୁ ପାତ୍ର ଆଜି ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି। ଗାଁଲୋକେ ଆଜି ସକାଳେ ମେଟଲାଙ୍କ ଶବକୁ ଦେଖି କୋଟଗଡ଼ ଥାନାରେ ଖବର ଦେଇଥିଲେ। ତାଙ୍କ ଶରୀରରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି । ମାଓବାଦୀମାନେ ନିର୍ଯ୍ୟାତନା ଦେଇ ନିର୍ମମ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ମେଟଲାଙ୍କ ମୃତଦେହକୁ ନିଜ ହେପାଜତକୁ ନେଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ପୁଲିସର ତଦନ୍ତ ଜାରି ରହିଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।ବିକାଶମୂଳକ କାର୍ଯ୍ୟ ଯଥା ରାସ୍ତା, ମୋବାଇଲ ଟାୱାର, ପୋଲ ନିର୍ମାଣକୁ ପ୍ରତିରୋଧ କରିବା ପାଇଁ ମାଓବାଦୀମାନେ ନିରୀହ ଲୋକଙ୍କୁ ଭୟଭୀତ କରାଉଛନ୍ତି ବୋଲି ଏସ୍ପି କହିଛନ୍ତି।
ପୁଲିସ ଇନ୍ଫର୍ମର୍ ସନ୍ଦେହରେ ଘରୁ ଉଠାଇ ନେଇ ଯୁବକ ଙ୍କୁ ହତ୍ୟା କଲେ ମାଓବାଦୀ
