Odisha Current News – ଅବସରପ୍ରାପ୍ତ ଆଇଏଏସ୍ ବିନୋଦ କୁମାରଙ୍କ ସମେତ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର,୨୪/୧୨/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶା ଗୃହନିର୍ମାଣ ଉନ୍ନୟନ ନିଗମ(ଓଆରଏଚଡିସି) ଦୁର୍ନୀତି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ଲେଖାଏଁ ସଶ୍ରମ ଜେଲ ଦଣ୍ଡାଦେଶ ହୋଇଛି । ୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ପୂର୍ବରୁ ଚାକିରିରୁ ବହିଷ୍କୃତ କରିଥିଲେ । ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ କୋର୍ଟ ଆଜି ବିନୋଦ କୁମାରଙ୍କ ସମେତ ଓଆରଏଚଡିସିର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ(ଟେକନିକାଲ) ପୂର୍ଣ୍ଣଚନ୍ଦ୍ର ଦାସ ଓ ଭୁବନେଶ୍ୱରସ୍ଥିତ ଏନଜିଓ ଆୱାରର ରାଜ୍ୟ ସଂଯୋଜକ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ହଜାର ଟଙ୍କା ଲେଖାଏଁ ଜୋରିମାନା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।
ଅଭିଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ବିନୋଦ କୁମାର ଓ ପୂର୍ଣ୍ଣଚନ୍ଦ୍ର ଦାସ ବେଆଇନ ଭାବେ ଜାଲ ୍ ଦସ୍ତାବଜି ମାଧ୍ୟମରେ ଋଣ ପ୍ରଦାନ କରିଥିଲେ । ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଧେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି ।
ସୂଚନାଯୋଗ୍ୟ, ୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କ ବିରୁଦ୍ଧରେ ୨୭ଟି ଦୁର୍ନୀତି ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ରାଜ୍ୟ ସରକାର ତାଙ୍କୁ ୨୦୨୨ ମସିହାରେ ବାଧ୍ୟତାମୂଳକ ଅବସର ଦେଇଥିଲେ ।
ସେ ଓଏଚଆରଡିସିର ପରିଚାଳନା ନିର୍ଦ୍ଧେଶକ ପଦବୀରେ ଥିବାବେଳେ ୨୦୦୦-୦୧ ମସିହା ରେ ବେଆଇନ ଭାବେ ୩୩.୩୪କୋଟି ଟଙ୍କା ବିଭିନ୍ନ ବିଲଡର ଓ ଠିକାଦାରଙ୍କୁ ଅନୁମୋଦନ କରିଥିବା ଅଭିଯୋଗ ହୁଏ ।

Leave a Reply

Your email address will not be published. Required fields are marked *