ବାଲେଶ୍ବର, ୧୪/୦୭/୨୦୨୬ (ଓଡ଼ିଶା ସମାଚାର)-ବାଲେଶ୍ଵର ସଦର ଥାନା ଅନ୍ତର୍ଗତ ରସାଳପୁର ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
ମିିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ୩ଟି ବାଇକରେ ମୋଟ ୬ ଜଣ ଲୁଟେରା ବ୍ୟାଙ୍କ ରେ ପହଂଚିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ବାହାରେ ଜଗି ରହିଥିଲେ ଏବଂ ୪ ଜଣ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କରି ବନ୍ଧୁକ ଦେଖାଇ ଗ୍ରାହକ ଓ କର୍ମଚାରୀଙ୍କୁ ଭୟଭୀତ କରି ଥିଲେ ।
ବ୍ୟାଙ୍କ ଭିତରକୁ ପଶି ସେମାନେ ପ୍ରଥମେ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କ ମୋବାଇଲ୍ ଫୋନ୍ ଜବତ କରି ଏକ ସ୍ଥାନରେ ରଖିବାକୁ ଧମକ ଦେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ଏକ କଟର ସାହାଯ୍ୟରେ କାଟି ନେଇଯାଇଥିଲେ। ଏହାପରେ ଲୁଟେରାମାନେ ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଷ୍ଟ୍ରଙ୍ଗ ରୁମ୍ ର ଚାବି ମାଗିବା ସହ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ମ୍ୟାନେଜରଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ସେ ଗୁରୁତର ଆହତ ହୋଇଛନ୍ତି।
ଏହି ସମୟରେ ବ୍ୟାଙ୍କ କର୍ମଚାରୀ କୌଶଳକ୍ରମେ ଜରୁରୀକାଳୀନ ସାଇରେନ୍ ବଜାଇ ଦେଇଥିଲେ । ସାଇରନ୍ ଶବ୍ଦ ଶୁଣି ଲୁଟେରାମାନେ ଧରାପଡ଼ିବା ଭୟରେ କାଉଣ୍ଟରରେ ଥିବା ଲକ୍ଷାଧିକ ଟଙ୍କା ଧରି ବାହାରକୁ ପଳାଇଯାଇ ବାଇକ୍ ଯୋଗେ ସେଠାରୁ ଚମ୍ପଟ ମାରିଥିଲେ।
ଆହତ ବ୍ୟାଙ୍କ ମ୍ୟାନେଜରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ, ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି। ବ୍ୟାଙ୍କରୁ ମୋଟ କେତେ ପରିମାଣର ଟଙ୍କା ଲୁଟ୍ ହୋଇଛି, ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତରଫରୁ ହିସାବ ଚାଲିଥିବାରୁ ଏହାର ସଠିକ୍ ଆକଳନ ଏପର୍ୟ୍ୟନ୍ତ ହୋଇପାରିନାହିଁ।
