ଘର ଆଗରୁ କୁଣ୍ଡା ବୋଝେଇ ଭ୍ୟାନ ଚୋରି

ଲକ୍ଷ୍ମୀପୁର ୨୭/୦୫/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏକ ଆଶ୍ଚର୍ଯ୍ୟ ଧରଣର ଘଟଣା ଦେଖିବାକୁ ମିଳିଛି। ଜଣକ ଘର ଆଗରେ ଥିବା କୁଣ୍ଡା ବୋଝେଇ ପିକପ୍ ଭ୍ୟାନ କେହି ଚୋରି କରି ନେଇଥିବା ଏଠି ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ସମସ୍ତ ଘଟଣା ପାଖରେ ଥିବା ଏକ ସିସି କ୍ୟାମେରାରେ କୈଦ୍ ହେଇଛି।

ଘଟଣା କ୍ରମେ ରେଲୱେ ରାସ୍ତା କଡ଼ରେ ରହୁଥିବା ବୁଧ ଦେବ୍ ସାହୁଙ୍କର ଭ୍ୟାନରେ ୫୨ ବସ୍ତା କୁଣ୍ଡା ବୋଝେଇ ହୋଇ ଘର ଆଗରେ ଥିଲା।ରାତି ପ୍ରାୟ ଗୋଟାଏ ବେଳେ ତିନଟି ବାଇକ୍ ରେ କିଛି ଦୁବୃର୍ତ୍ତ ଭ୍ୟାନ ପାଖରେ ପହଞ୍ଚିଥିଲେ। ଗୋଟିଏ ବାଇକ୍ ରେଲୱେ ପଟରୁ ଆସିଥିବା ବେଳେ ଅନ୍ୟ ଦୁଇଟି ବାଇକ୍ ଲକ୍ଷ୍ମୀପୁର ପଟରୁ ଆସିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଭ୍ୟାନ ଧରି ରେଲୱେ କଲୋନି ଅଭିମୁଖେ ବାହାରିଥିବା ବେଳେ ସେପଟରୁ ଆସିଥିବା ବାଇକ୍ ତା ପଛେ ପଛେ ଚାଲିଥିଲା। ଅନ୍ୟ ଦୁଇଟି ବାଇକ୍ ଲକ୍ଷ୍ମୀପୁର ଅଭିମୁଖେ ଫେରି ଯାଇଥିଲା। ଏନେଇ ଗାଡ଼ି ମାଲିକ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳକୁ ଏସଡିପିଓ ବିରଞ୍ଚି ନାରାୟଣ ଜଗତ,ଆଇଆଇସି ସୁଜ୍ଞାନୀ ସାହୁ ସଦଳ ବଳେ ଜାଇ ଘଟଣା ସବୁ କୈଦ୍ ହେଇଥିବା ସି ସି ଟିଭି ଯାଞ୍ଚ କରିବା ସହ ଲକ୍ଷ୍ମୀପୁର ରେଲୱେ କଲୋନି ଠାରୁ ଟିକୀରୀ ଯାଏଁ ପ୍ରତ୍ୟେକ ସି ସି ଟିଭି ଯାଞ୍ଚ କରି ଫେରି ଆସି ଛନ୍ତି। ଲକ୍ଷ୍ମୀପୁର ଅଞ୍ଚଳରେ ଛୋଟିଆ ମୋଟିଆ ଚୋରି ସହ ବାଇକ୍ ଚୋରି ହୋଇଛି , କିନ୍ତୁ ଭ୍ୟାନ ଚୋରି ପ୍ରଥମ ହେଇଥିବା ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି।ଏହି ଘଟଣା ପରେ ଘର ବାହାରେ ରଖୁଥିବା ଅନେକ ଚାରି ଚକିଆ ଓ ଦୁଇ ଚକିଆ ଗାଡ଼ି ମାଲିକ ମାନେ ଭୟଭୀତ ହୋଇ ପଡ଼ିଛନ୍ତି।ତେଣୁ ଦୃର୍ବୁତ୍ତ ଙ୍କୁ ଚକମା ଦେବା ପାଇଁ ପୋଲିସକୁ ମଧ୍ୟ ରାତ୍ରୀକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ନିହାତି ଜରୁରୀ ହୋଇ ପଡ଼ିଛି।ବର୍ତ୍ତମାନ କେତେଦିନ ଭିତରେ ଲକ୍ଷ୍ମୀପୁର ପୋଲିସ ଏହି ଚୋରି ଘଟଣାର ପର୍ଦାଫାସ୍ କରୁଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *