ରାୟଗଡ଼ା,୧୦/୦୫/୨୦୨୬ (ଓଡ଼ିଶା ସମାଚାର)- ରାୟଗଡ଼ା ସହର ଇନ୍ଦିରା ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ବନ୍ଧୁକ ମୁନରେ ଜଣେ ଯୁବକଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଅପହରଣ କରି ହତ୍ୟା କରାଯାରଇଥିବା ଅଭିଯୋଗ ହୋଇଛି । ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନ୍ରେ ଅଜଣା ଦୁର୍ବୃତ୍ତମାନେ ଶନିବାର ରାତିରେ ଗୁଳି ଫୁଟାଇ ରେଲି ସାହିର ଯୁବକ ନିଖିଲ ହାଡ଼ିପାକୁ ଅପହରଣ କରିନେଇଥିଲେ । ପରେ ତାଙ୍କ ମୃତଦେହ ତୁମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ନିଖିଲ ଙ୍କ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ରବିବାର ସକାଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି। ଘଟଣାସ୍ଥଳରୁ ପୋଲିସ ଏକ ଖୋକା ଜବତ କରିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।


ସୂଚନାଯୋଗ୍ୟ ଯେ, ଶନିବାରରାତି ୧୦ଟା ସମୟରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ନିଖିଲଙ୍କୁ ପିଛା କରିଥିଲେ। ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।ଏହି ସମୟରେ ଯୁବକ ଜଣଙ୍କ ଭୟରେ ଦୌଡ଼ି ପଳେଇବା ସମୟରେ ଫାଇରିଂ ହୋଇଥିଲା। ଯୁବକ ଜଣକ ଜୀବନ ବିକଳରେ ଜଣଙ୍କ ଘରକୁ ପସିଯିବା ସମୟରେ ଦୁର୍ବୁତ୍ତମାନେ ତାକୁ ଅପହରଣ କରି ରିଂ ରୋଡ ପଟେ ଚାଲିଯାଇଥିଲେ । ନିଖିଲଙ୍କୁ ହତ୍ୟା ପରେ ତୁମ୍ବିଗୁଡା ନିକଟରେ ଫିଙ୍ଗି ଚାଲିଯାଇଥିଲେ । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଛି ।
