ସାଧାରଣ ନିର୍ବାଚନ ନିମନ୍ତେ ଜିଲ୍ଲା ରେ ପ୍ରିଜାଇଡିଂ ଓ ପୋଲିଂ ଅଧତ୍କାରୀ ଙ୍କ ଦ୍ଵିତୀୟ ପର୍ୟ୍ୟାୟ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଓ ପୋଷ୍ଟାଲ ଭୋଟିଂ

ଜଗତସିଂହପୁର, ୨୩/୦୫/୨୦୨୪ (ଓଡ଼ିଶା ସମାଚାର)-ସାଧାରଣ ନିର୍ବାଚନ ୨୦୨୪ ର ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଉପନୀତ। ଏହି ନିର୍ବାଚନ ପର୍ବ କୁ ସରଳ ଓ ତୃଟିଶୂନ୍ୟ କରିବାକୁ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୨୩ ତାରିଖ ରୁ ୨୬ତାରିଖ ପର୍ୟ୍ୟନ୍ତ ଦ୍ଵିତୀୟ ପର୍ୟ୍ୟାୟ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅନୁପମ ସାହା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜିଲ୍ଲା ର ୪ ଟି ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ୪ ଟି ଭିନ୍ନ ଭିନ୍ନ ସ୍ଥାନରେ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କ ଦ୍ଵାରା ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲା ର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ କୁ ମିଶାଇ ୧୦୫୧ ଟି ବୁଥ୍ ପାଇଁ ସମୁଦାୟ ୬୯୯୩ ଜଣ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି।ସେଥିମଧ୍ୟରୁ ୪୯୬୭ ଜଣ ପୁରୁଷ ଅଧିକାରୀ ହୋଇଥିବା ବେଳେ ୨୦୨୬ ଜଣ ମହିଳା ଅଧିକାରୀ।୧୦୧ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ପାଇଁ ସାରଳା ମହାବିଦ୍ୟାଳୟ, ରାହାମା ଠାରେ ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅୟୋଜିତ ହୋଇଥିବା ବେଳେ ୧୦୨ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ନିମନ୍ତେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ଠାରେ, ୧୦୩ ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀ ନିମନ୍ତେ ସୁଦ୍ଧାନନ୍ଦ ପବ୍ଲିକ ସ୍କୁଲ ଓ ୧୦୪ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ମାର୍କଣ୍ଡପୁର ଠାରେ ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅୟୋଜିତ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ରେ ସୁପରଭାଇଜିଂ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ଲଲିତ ମୋହନ ବେହେରା ଓ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଦାୟିତ୍ଵ ରେ ଅଛନ୍ତି। ଏହାଛଡ଼ା ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ କେହି ଯେପରି ମତଦାନ ଅଧିକାର ରୁ ବଞ୍ଚିତ ନ ହୁଅନ୍ତି, ସେମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ପ୍ରଥମ ପର୍ୟ୍ୟାୟ ପ୍ରଶିକ୍ଷଣ ସମୟରେ ନିଜ ନିର୍ବାଚନ ମଣ୍ଡଳୀ ଠାରୁ ଦୂରରେ ନିୟୋଜିତ ହୋଇଥିବା ଅଥବା ନିର୍ବାଚନ ପ୍ରକ୍ରିୟା ରେ ନିୟୋଜିତ ହୋଇଥିବା ୪୫୦୯ ଜଣ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନେ ଫର୍ମ୍ ୧୨ ରେ ଆବେଦନ କରିଥିଲେ। ସେହି ଅଧିକାରୀ ମାନଙ୍କ ନିମନ୍ତେ ଟ୍ରେନିଂ ସେଣ୍ଟର ଗୁଡିକ ରେ ଫାସିଲିଟେସନ ସେଣ୍ଟର କରାଯାଇଛି, ଯେଉଁ ଠାରେ ସେମାନେ ନିଜର ମତଦାନ କରିପାରିବେ। ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ମଧ୍ୟ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଓ ପୋଷ୍ଟାଲ ଭୋଟିଂ କାର୍ୟ୍ୟକ୍ରମ କୁ ବୁଲି ଦେଖିବା ସହ ଆବଶ୍ୟକୀୟ ବ୍ୟବସ୍ଥା ବିଷୟ ରେ ବୁଝିଥିଲେ। ପୋଷ୍ଟାଲ ଭୋଟିଂ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ବିବୁଧ ଗଡନାୟକ ଙ୍କ ତତ୍ତ୍ୱାବଧାନରେ ଏହି ସମସ୍ତ କାର୍ୟ୍ୟ ପରିଚାଳିତ ହୋଇଛି। ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ମେ ମାସ ୨୩ ତାରିଖ ରୁ ୨୬ ତାରିଖ ପର୍ୟ୍ୟନ୍ତ ସକାଳ ୮ ଟା ରୁ ଚାଲିବ। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ର ଡେପୁଟି କଲେକ୍ଟର, ସମସ୍ତ ବ୍ଲକ୍ ର ବି ଡି ଓ, ତହସିଲଦାର, ଅତିରିକ୍ତ ଜିଲ୍ଲା ଶିକ୍ଷାହ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଏ ବି ଡି ଓ, ବି ଏସ୍ ଏସ୍ ଓ ପ୍ରମୁଖ ମାଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।

Leave a Reply

Your email address will not be published. Required fields are marked *