କେନ୍ଦ୍ରାପଡ଼ା, ୧୯/୦୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଥିବା ବେଳେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ବହୁଜନ ସମାଜବାଦୀ ପାର୍ଟି (ବିଏସପି) ପ୍ରାର୍ଥୀ ସେକ୍ ସାଦିକ୍ ହୋସେନ୍ ତାଙ୍କ ନିର୍ବାଚନୀ ପ୍ରଚାର କେନ୍ଦ୍ରାପଡାରୁ ଆରମ୍ଭ କରିଛନ୍ତି । ସାଦିକ୍ ଗରାପୁରସ୍ଥିତ ପାର୍ଟି କାର୍ଯ୍ୟାଳୟରୁ ଏକ ବାଇକ ଶୋଭାଯାତ୍ରାରେ କଟକ-ଚାନ୍ଦବାଲି ରାସ୍ତାରେ କଲେଜ ଛକକୁ ଆସି ସେଠାରୁ ତିନିମୁହାଣୀ ଛକ ଦେଇ ସହର ମଧ୍ୟକୁ ପ୍ରବେଶ କରିଥିଲେ । ସହରର ମହିପାଳ, ବଣିଆମାଳ, ନୂଆ ବସ ଷ୍ଟାଣ୍ଡ, କାକଟ ଛକ, ବଡହାଟ, ପୁରୁଣା ବସ୍ ଷ୍ଟାଣ୍ଡ, ପୁରୁଣା ଜେଲ୍ ରୋଡ୍ ଦେଇ ଗରାପୁରଠାରେ ପହଂଚିଥିଲେ । ପ୍ରତି ଛକରେ ଲୋକମାନଙ୍କୁ ବିଜେଡି ସରକାରର କୁଶାସନ ଓ ବିକାଶରେ ପଛୁଆ ଥିବା କେନ୍ଦ୍ରାପଡା ଅଂଚଳର କିପରି ବିକାଶ କରାଯାଇପାରିବ ସେ ସମ୍ପର୍କରେ ବୁଝାଇଥିଲେ । ସାଦିକ୍ ଏହାପରେ ଗରାପୁରସ୍ଥିତ ଦି ପ୍ୟାଲେସ୍ଠାରେ ଏକ ନିର୍ବାଚନୀ ସଭାରେ କେନ୍ଦ୍ରାପଡାରେ ବିକାଶ ପାଇଁ ବିଏସ୍ପିର ସଂସଦ ପ୍ରାର୍ଥୀ ସେକ୍ ସାଦିକ୍ ହୋସେନକୁ ହାତୀ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଉପସ୍ଥିତ ଲୋକମାନଙ୍କୁ ନିଚେଦନ କରିଥିଲେ । କେନ୍ଦ୍ରାପଡାର ବହୁଦିନର ଦାବି ଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଭଳି ମୁଖ୍ୟ ଦାବିକୁ ପୁରଣ କରିବା ପାଇଁ ହେଲେ ବିଏସପି ସଂସଦ ପ୍ରାର୍ଥୀ ସାଦିିକଙ୍କୁ ହାତୀ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ମଂଚରେ ବହୁଜନ ସମାଜବାଦୀ ପାର୍ଟିର କେନ୍ଦ୍ର ନେତୃତ୍ୱ ତଥା ଓଡିଶା ପ୍ରଭାରୀ ମଧୁସୁଦନ ଯାଦବ, ରାଜ୍ୟ ସଂଯୋଜକ, ମାହାଙ୍ଗାର ବିଧାୟକ ପ୍ରାର୍ଥୀ ଜିଲାନୀ ଭାଇ, ପାଟକୁରା, ମହାକାଳପଡା, ଆଳି, ରାଜନଗର ତଥା କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ରଞ୍ଜନ ମଲ୍ଲିକ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ସାଦିକ କହିଥିଲେ ଯେ ସାଧାରଣ ନିର୍ବାଚନ ତଥା ନିର୍ବାଚନୀ ଗଣପର୍ବରେ ମୋ ସହିତ ସାମିଲ ହୋଇଥିବା ଭାଇ ଓ ଭଉଣୀମାନଙ୍କୁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ବହୁଜନ ସମାଜବାଦୀ ପାର୍ଟିର ସଂସଦ ପ୍ରାର୍ଥୀ ସେକ୍ ସାଦିକ୍ ହୋସେନ ନମନ କରୁଛି । ଏ ନିର୍ବାଚନ ଲଢେଇ ହେଉଛି ସାରା ମଧ୍ୟବିତ ପରିବାର, ଦଳିତ ସାମଜ, ଓବିସି ତଥା ସମସ୍ତ ସଂଖ୍ୟାଲଘୁ ସଂପ୍ରଦାୟର ସମସ୍ତ ଭାଇଭଉଣୀମାନଙ୍କର ଲଢେଇ । ଏହା ଆମ୍ଭମାନଙ୍କ ହକ୍ ର ଲଢେଇ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଗୋଟିଏ ଭାଇଚାରାର କ୍ଷେତ୍ର । ଏଠି ବସବାସ କରୁଥିବା ପ୍ରତ୍ୟେକ ମଧ୍ୟବିତ ପରିବାର ନିଜର ପରିବାରର ପ୍ରତିପୋଷଣ କରିବା ପାଇଁ ପ୍ରତ୍ୟେକ ଦିନ ଜୀବନ ଯୁଦ୍ଧରେ ସଂଘର୍ଷ ବା ଲଢେଇ କରୁଛନ୍ତି । କିନ୍ତୁ ବିଗତ ବର୍ଷମାନଙ୍କ ମଧ୍ୟରେ ଏହି ସଂସଦୀୟ କ୍ଷେତ୍ରରୁ ବହୁ ରାଜନେତା ଦିଲ୍ଲୀ ଦରବାରକୁ ଯାଇଥିବା ସ୍ଥଳେ କେନ୍ଦ୍ରାପଡାକୁ ଭୁଲିଯାଇଛନ୍ତି । ଏଠାରେ ନା ଅଛି ଶିଳ୍ପ ନା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନା ବେକାର ଯୁବକମାନଙ୍କ ପାଇଁ କୌଣସି ରୋଜଗାରର ପନ୍ଥା । ରାଜନେତାମାନେ ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦିବା ସହିତ ଅଜଶ୍ର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । କେନ୍ଦ୍ରାପଡାର ଭୋଟରମାନେ ଏଥର ଜାତି ଭେଦଭାବକୁ ଭୁଲି କଳାଟଙ୍କାକୁ ଛାଡିି ଦୃଢ ଜବାବ ଦେବେ । ବିଏସପି ସାମାଜିକ ପରିବର୍ତନ ଏବଂ ଅର୍ଥନୈତିକ ମୁକ୍ତି ଉପରେ ବିଶ୍ୱାସ କରେ । ବିଏସପି ଡ. ବି.ଆର୍. ଆମ୍ବେଦକରଙ୍କ ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା ଓ ଆଦର୍ଶପୂର୍ଣ୍ଣ ପ୍ରେରଣାକୁ ପାଥେୟ କରି ଅବହେଳିତ ଅବସ୍ଥାରେ ଥିବା କେନ୍ଦ୍ରାପଡାବାସୀଙ୍କ ପାଇଁ ସଦାସର୍ବଦା ଆନ୍ଦୋଳନ କରିଆସିଛି । କେନ୍ଦ୍ରାପଡାର ଦାବିକୁ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିବା ସହିତ ତାହାର ସଫଳ ରୂପାୟନ ନିମନ୍ତେ ବିଏସପିର ସଂସଦ ପ୍ରାର୍ଥୀ ଏବଂ ସଂସଦୀୟ କ୍ଷେତ୍ର ଅଧିନ ସମସ୍ତ ବିଧାୟକ ପ୍ରାର୍ଥୀମାନଙ୍କୁ ହାତୀ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଯୋଜକ ସମ୍ପଦ ଲାଲ ଟୁଙ୍ଗାରିଆ, ରାଜ୍ୟ ସଂଯୋଜକ ସୁଧୀର ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ମଧୁସୂଦନ ଯାଦବ, ଜିଲା ସଂଯୋଜକ ସୁଧାକର ମଲ୍ଲିକ, ଜିଲା ସଭାପତି ରାଜେନ୍ଦ୍ର ମଲ୍ଲିକ, ଆଳି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ସେଠୀ, ମହାକାଳପଡା ବିଧାୟକ ପ୍ରାର୍ଥୀ ଅଧୀର ନାଥ ଶର୍ମା, ପାଟକୁରା ବିଧାୟକ ପ୍ରାର୍ଥୀ ଚିଦାନନ୍ଦ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।