ଅଖିଳ ଭାରତୀୟ ପରିବାର ପାର୍ଟିର ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା, ୧୯/୦୫/୨୦୨୪ (ଓଡ଼ିଶା ସମାଚାର)- ଅଖିଳ ଭାରତୀୟ ପରିବାର ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ମାରୁତି ଛକରେ ଥିବା ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ପରିବାର ପାର୍ଟିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀନୀ ସୁପ୍ରଭା ଦାସ ଯୋଗଦେଇ କହିଥିଲେ ଯେ କେନ୍ଦ୍ରାପଡା ଲୋକସଭା ଆସନରୁ ମୁଁ ସାଂସଦ ଭାବେ ନିର୍ବାଚିତ ହେଲେ ୯୦ଦିନ ଭିତରେ ଲୋକମାନେ ବ୍ୟାଙ୍କରୁ ନେଇଥିବା ଋଣକୁ ଛାଡ କରିବାରେ ସଫଳ ନହେଲେ ସାଂସଦ ପଦରୁ ଇସ୍ତଫା ଦେବି । ପ୍ରତି ପଂଚାୟତରେ ଶୀତଳ ଭଣ୍ଡାର ଏବଂ ଶସ୍ୟାଗାର ସହିତ କୃଷି ସେବାକେନ୍ଦ୍ର ନିର୍ମାଣ, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ସହ ସମସ୍ତ ମହାବିଦ୍ୟାଳୟର ଉନ୍ନତିକରଣ କରାଯିବ । କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ, ଜିଲାରେ ଶିଳ୍ପ ଓ ନଦୀଭିତିିକ ବନ୍ଦର ପ୍ରତିଷ୍ଠା, ଭ୍ରାମ୍ୟମାଣ ବାହନରେ ରୋଗୀ ଓ ଗୃହପାଳିତ ପଶୁ ଚିକିତ୍ସା, ପରିବାରରେ ଅବହେଳିତ ବୃଦ୍ଧ, ବୃଦ୍ଧା, ସ୍ୱାମୀ ପରିତ୍ୟକ୍ତା, ବିଧବା ଓ ଅବିବାହିତ ବୟସ୍କା ମହିଳା ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମହିଳାମାନଙ୍କୁ ସମାନୁପ୍ରତୀକ ସମ୍ମାନ ପ୍ରଦାନ ସହ ରାଜ୍ୟର ୨୭ନଂ ସ୍ଥାନରେ ଥିବା କେନ୍ଦ୍ରାପଡା ଜିଲାକୁ ୧ନଂ ଜିଲାରେ ପରିଣତ କରିବା, ବେକାରୀ ସମସ୍ୟା ଦୂରୀକରଣ, ଝାଟି ଜଙ୍ଗଲ କିସମ ଜମିକୁ ଜବର ଦଖଲମୁକ୍ତ କରିବା, ଅଣଜଳସେଚିତ ଅଂଚଳକୁ ଜଳସେଚନର ସୁବିଧା, ଶାଗୁଣା ଘାଇର ସୁରକ୍ଷା, କେନ୍ଦ୍ରାପଡା ପାଇଁ ବିଜୁବାବୁ ଦେଖିଥିବା ସ୍ୱପ୍ନକୁ ସାକାର କରିବା, ଯୁବଶକ୍ତିର ପ୍ରଗତି ନିମନ୍ତେ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ଡିଗ୍ରୀ ମହାବିଦ୍ୟାଳୟମାନଙ୍କୁ ଉଦ୍ୟୋଗ ସହ ରୋଜଗାର ଭିତିକ ଶିକ୍ଷା ପ୍ରଦାନ ସହ ମଠ, ମନ୍ଦିର, ମସ୍ଜିଦ୍ ଓ ଚର୍ଚ୍ଚମାନଙ୍କର ପୁନରୁଦ୍ଧାର କରାଯିବ ବୋଲି ଅଖିଳ ଭାରତୀୟ ପରିବାର ପାର୍ଟିର ସାଂସଦ ପ୍ରାର୍ଥୀ ସୁପ୍ରଭା ଦାସ କହିଥିଲେ । ଶ୍ରୀମତୀ ଦାସ କହିଥିଲେ ଯେ ସେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ଲଢିବାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଯେଉଁମାନେ ଋଣ ନେଇ ଋଣ ସୁଝି ନପାରି ଆତ୍ମହତ୍ୟା କରୁଛନ୍ତି ବା ଘର ଛାଡି ପଳାୟନ କରୁଛନ୍ତି ମୁଁ ସେହିମାନଙ୍କର ଋଣ ଛାଡ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ । ଲୋକମାନଙ୍କର ଋଣ ଛାଡ ନିମନ୍ତେ ଶ୍ରୀମତୀ ଦାସ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିବା ସୂଚନା ଦେଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ସାଂସଦ ପ୍ରାର୍ଥୀ ଶ୍ରୀମତୀ ଦାସଙ୍କୁ କେଟିଲି ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ସେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ଭୋଟରମାନଙ୍କୁ ନିବେଦନ କରିଥିଲେ ।
