କେନ୍ଦ୍ରାପଡ଼ା,୦୮/୦୮/୨୦୨୫(ଓଡ଼ିଶା ସମାଚାର)- ଭାରତୀୟ କମୁ୍ୟନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲା ଶାଖା ପକ୍ଷରୁ କାଠିଆପଡା ଛାତ୍ରୀ ମୃତୁ୍ୟ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳ ନବକ୍ରୁଷ୍ଣ ଜେନାଙ୍କୁ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।
ରାଜ୍ୟର ବାଲେଶ୍ୱର ଜିଲା ଠାରୁ ଆରମ୍ଭ କରି ନୟାଗଡ, ପୁରୀ, କଟକ ଓ କେନ୍ଦ୍ରାପଡା ପର୍ଯ୍ୟନ୍ତ ସବୁଠାରେ ପ୍ରଶାସନର ବିଫଳତା ଯୋଗୁଁ ମହିଳା ନ୍ୟାୟ ନପାଇ ଦେହରେ କିରୋସିନି ଓ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଏବେ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କାଠିଆପଡା ଗ୍ରାମରେ ମଧ୍ୟ ଛାତ୍ରୀ ଜଣକ ପୋଲିସ ଠାରୁ ନ୍ୟାୟ ନପାଇ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟୀତ୍ୱରେ ଥିବା ବେଳେ ମିଛରେ ସରକାର ଯେତେବି କୁମ୍ଭୀର କାନ୍ଦଣା କାନ୍ଦିଲେ କଣ ହେବ ସବୁ ପଦାରେ ପଡି ଦାଣ୍ଡରେ ଗଡଗଡାଉଛି ।
ସଂପୃକ୍ତ ମୃତା ଛାତ୍ରୀ ଜଣଙ୍କ ୬ମାସ ପୂର୍ବରୁ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଜଣାଇଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶେଷରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଓ ଛାତ୍ରୀ ମୃତୁ୍ୟ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ରାଜ୍ୟପାଳଙ୍କ ନିକଟରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ଦାବି କରିଛି । ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ସଭ୍ୟ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଜିଲା ସମ୍ପାଦକ ବିକାଶ ଚନ୍ଦ୍ର ବେଉରା, ସହ ସମ୍ପାଦକ ଆଦିକନ୍ଦ ରାଉଳ, ଅନ୍ୟତମ ସହସମ୍ପାଦକ ସୋହାନା ବେଗମ, ଅଖିଳ ଭାରତ ଯୁବ ସଂଘର ସମ୍ପାଦକ ଜ୍ଞାନରଞ୍ଜନ ବେଉରା, ଜିଲା ପରିଷଦ ସଭ୍ୟ ରଞ୍ଜନ ମଲିକ, ସଂଯୁକ୍ତା ରାଉତ, ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
