ମତଦାନ ନିମନ୍ତେ ଶପଥ ପାଠ – ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେଲେ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର, ୧୮/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମତଦାନ କରିବା ପାଇଁ ଜିଲ୍ଲାସ୍ତରରେ ଶପଥ ପାଠ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣାଙ୍କ ପରାମର୍ଶ ଅନୁଯାୟୀ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ନିଜର ମତାଧିକାର ସାବ୍ୟସ୍ତ କରି ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ନିମନ୍ତେ ସଂକଳ୍ପ ନେଇଛନ୍ତି । ଏହି ମର୍ମରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀଙ୍କ ନେତୃତ୍ୱରେ କର୍ମଚାରୀମାନେ ଏହି ଶପଥ ପାଠରେ ସାମିଲ ହୋଇଥିଲେ । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ ।

        ଏଥି ସହ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବା ପାଇଁ ଜାରି ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଛି । ୮୫ ବର୍ଷ ବୟସରୁ ଊଦ୍ଧ୍ୱ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ନିଜ ଘରେ ରହି ଭୋଟ ଦେଇଥିବାବେଳେ ନିର୍ବାଚନ ସଂପର୍କିତ ଅତ୍ୟାବଶ୍ୟକୀୟ ସେବା ପ୍ରଦାନରେ ନିୟେଜିତ ବ୍ୟକ୍ତିବିଶେଷ ମଧ୍ୟ ପୋଷ୍ଟାଲ ବାଲାଟରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ମର୍ମରେ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ଅଧିକାରୀ, କର୍ମଚାରୀ, ପୋଲିସ କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେଇଛନ୍ତି । ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ମତଗ୍ରହଣ କରାଯିବ ଓ ଜୁନ୍‌ ୪ ତାରିଖରେ ଭୋଟ ଗଣନା ହେବ ।

Leave a Reply

Your email address will not be published. Required fields are marked *