ଭୁବନେଶ୍ୱର, ୨୨/୧୦/୨୦୨୪ (ଓଡ଼ିଶା ସମାଚାର)-ବାତ୍ୟା ପ୍ରସ୍ତୁତିର ଆକଳନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଅଛି। ବାତ୍ୟା ପରେ ରାସ୍ତା ଓ ଯାତାୟାତ ବ୍ୟବସ୍ଥାକୁ ସଫା କରିବା ପାଇଁ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆବଶ୍ୟକ ଆଗୁଆ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଉପକୂଳରେ ଚଳାଚଳ କରୁଥିବା ସମସ୍ତ ମାଛଧରା ଡଙ୍ଗାକୁ ୨୨.୧୦.୨୦୨୪ ପୂର୍ବାହ୍ନ ୧୧ଟା ସୁଦ୍ଧା ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି ଏବଂ ୨୬.୧୦.୨୦୨୪ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ମାଛଧରା ଡଙ୍ଗା ସମୁଦ୍ର ଭିତରକୁ ଯିବ ନାହିଁ ବୋଲି ସୁନିଶ୍ଚିତ କରାଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେବାକୁ ଥିବା ଗୋଟିଏ ହେଲିକପ୍ଟର ଯୋଗାଇ ଦେବାକୁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ୧୪ଟି ଜିଲ୍ଲାର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ଅକ୍ଟୋବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନର ସାମଗ୍ରିକ ତଦାରଖ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ହାଇ ଆଲର୍ଟରେ ଜିଲ୍ଲାଗୁଡ଼ିକରେ ନିୟୋଜିତ କରାଯାଇଛି । ତିନି ବନ୍ଦର କର୍ତ୍ତୃପକ୍ଷ ଗୋପାଳପୁର, ପାରାଦୀପ ଓ ଧାମରାକୁ ସତର୍କତାମୂଳକ ସୂଚନା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଠିକ୍ ସମୟରେ ସ୍ଥାନାନ୍ତର ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ଓ ସରକାରୀ କୋଠାରେ ଓଭରହେଡ୍ ପାଣି ଟାଙ୍କି ଭର୍ତ୍ତି ରଖିବା ପାଇଁ ଅନୁରୋଧ କରାଯାଇଛି।· ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହୋର୍ଡିଂ ହଟାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ତରଫରୁ ୬ ହଜାରରୁ ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ୩ ହଜାରରୁ ଉର୍ଦ୍ଧ୍ୱ ସମ୍ବେଦନଶୀଳ ସ୍ଥାନମାନଙ୍କରୁ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଚିହ୍ନଟ କରାଯାଇଛି। ଆବଶ୍ୟକସ୍ଥଳେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । · ୮ ହଜାରରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାମାନଙ୍କୁ ନିରାପଦ ପ୍ରସବ ପାଇଁ ଡାକ୍ତାରଖାନାକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି । · ୭୦୦ ଶହରୁ ଉର୍ଦ୍ଧ୍ୱ ବିଦ୍ୟୁତ୍ ଗ୍ୟାଙ୍ଗମ୍ୟାନମାନଙ୍କୁ ବାତ୍ୟା ପରବର୍ତ୍ତୀ ସମୟରେ ପୁନଃ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ୫ ହଜାର ପ୍ୟାକେଟ୍ ରୁ ଉର୍ଦ୍ଧ୍ୱ ପଲିଥିନ୍ ମହଜୁଦ୍ ରଖାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି । ଏହି ଅବସରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ।
ବାତ୍ୟା ପ୍ରସ୍ତୁତି ସମୀକ୍ଷା
