ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁଇ ସରକାରୀ କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୪/୦୫/୨୦୨୪ (ଓଡ଼ିଶା ସମାଚାର)-  ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁଇ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ନୂଆପଡ଼ା ଜିଲ୍ଲା ତରବୋଡ ଫନଡେଲ ନାଳା ନିକଟରେ କାର ଧକ୍କାରେ ଜଣେ ପୋଲିଂ କର୍ମଚାରୀଙ୍କ ପ୍ରାଣହାନି ଘଟିଛି। ସେ ଖଡିଆଳ ନିର୍ବାଚନମଣ୍ଡଳି ରାନିମୁଣ୍ଡାରେ ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ ଥିଲେ। ମତଦାନ ପରେ ରାତିରେ ଇଭିଏମ୍ ଦାଖଲ କରି ସକାଳେ ସେ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ ନାଁ ପ୍ରସନ୍ନ କୁମାର ନାୟକ ବୋଲି ଜଣାପଡ଼ିଛି। ସୋମବାର ନିର୍ବାଚନ ସରିବା ପରେ ଇଭିଏମ୍‌ ମେଶିନ ଜମା କରି ଏକ ବାଇକ୍‌ ଯୋଗେ ପ୍ରସନ୍ନ ମଙ୍ଗଳବାର ଘରକୁ ଫେରୁଥିଲେ । ହେଲେ ୩୫୩ ନମ୍ବର ଜାତୀୟ ରାଜପଥ ତରବୋଡ ତୃଣବିହନ ଉତ୍ପାଦନ କେନ୍ଦ୍ର ନିଟରେ ଏକ କାର ସହ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲ। ଫଳରେ ପ୍ରିଜାଇଡିଂ ଅଫିସର ପ୍ରସନ୍ନ ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ନୂଆପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

ସେହିପରି  ମାଲକାନଗିରିରେ ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ଖଇରପୁଟ ମୁଦୁଲିପଡାର ପଂଚାୟତ ଏମ ବନ୍ଧଗୁଡାର ଇନ୍ଦ୍ରଜିତ କିଷାନ।  ନିର୍ବାଚନ କାମସାରି ଫେରୁଥିବା ବେଳେ ଇନ୍ଦ୍ରଜିତଙ୍କ ବାଇକକୁ ଏକ ବସ୍ ଧକ୍କା ଦେଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ସାଥି ଶିକ୍ଷକ ମାନେ ଇନ୍ଦ୍ରଜିତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଇନ୍ଦ୍ରଜିତ ମାଲକାନଗିରି ନିର୍ବାଚନ ମଣ୍ଡଳୀ ୧୨୨ ନମ୍ବର ବୁଥ ରେ ପ୍ରିଜାଇଡିଂ ଅଫିରଭାବେ ନିୟୋଜିତ ଥିଲେ।  ସୋମବାର ମତଦାନ କାର୍ଯ୍ୟ ଶେଷ କରି ଆଜି ସକାଳୁ ନିଜ ଘର ଖଇରପୁଟ ବ୍ଲକ ଖୁରିଗୁଡା ଗାଁକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି।  ଦୁର୍ଘଟଣା ଘଟାଇଥିବା ଘରୋଇ ବସ କୁ ମାଲକାନଗିରି ପୁଲିସ୍ ଅଟକ ରଖି ପଚରା କରୁଛି ।

Leave a Reply

Your email address will not be published. Required fields are marked *