ବାଲିଗୁଡା,୧୦/୦୬/୨୬(ଓଡିଶା ସମାଚାର /ସଞ୍ଜୟ କୁମାର।ବୁଧବାର ଦିନ ଗୋଟିଏ ଚଳନ୍ତା ଟ୍ରାକ୍ଟର ରୁ ଖସି ପଡ଼ି ଜଣେ ନାବାଳକ ର ମୃତ୍ୟୁ ଘଟଣା ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ମୃତ ନାବାଳକ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ର ପଦାସାହି ନିବାସୀ ଅକ୍ଷୟ କୁମାର ମଲ୍ଲିକ ଙ୍କ ପୁଅ ଗ୍ରେସ କୁମାର୍ ମଲ୍ଲିକ (୧୫) । ସୂଚନା ଅନୁଯାୟୀ ଗ୍ରେସ ଋତୁଙ୍ଗିଆ ହାଇସ୍କୁଲ ରେ ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ । ଖରାଛୁଟି କଟାଇବା ପାଇଁ ଘରକୁ ଆସିଥିଲେ । ବୁଧବାର ଦିନ ବଡିଭୋର୍ ରୁ ବାପା ବିଲରେ ହଳ କରିବାକୁ ଯାଇ ଥିଲେ ।
ସକାଳୁ ନିଜ ନିତ୍ୟ କର୍ମ ସାରି ଗ୍ରେସ୍ ଗାଁ ମୁଣ୍ଡ ରେ ବୁଲାବୁଲି କରୁଥିବା ବେଳେ ତାଜୁଙ୍ଗିଆ ରୁ ଏକ ଟ୍ରାକ୍ଟର ମହାଗୁଡ଼ି ଅଭିମୁଖେ ଯାଉଥିବା ଦେଖି ସେହି ଟ୍ରାକ୍ଟର ରେ ଚଢ଼ି ଯାଇଥିଲେ । ହେଲେ କିଛି ବାଟ ଆସିବା ପରେ ମହାଗୁଡ଼ି ପହଞ୍ଚିବା ପୂର୍ବରୁ ଟୁଙ୍ଗୁଡ଼ୁମହା ସାହି ନିକଟ ରେ ଥିବା ହମ୍ପସ ରେ ଗାଡ଼ି ବ୍ରେକ ମାରିବାରୁ ସେ ଟ୍ରାକ୍ଟର ରୁ ଛିଟିକି ପଡ଼ି ଯାଇ ଥିଲେ । ଗୁରୁତର ଅବସ୍ଥାରେ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରାହ୍ମଣୀଗାଁ ମେଡିକାଲ୍ ରେ ଭର୍ତ୍ତି କରାଯାଇ ଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବ୍ରାହ୍ମଣୀଗାଁ ଥାନା ଏସଆଇ ଭୋଳାନାଥ ପଣ୍ଡା ମେଡିକାଲ ରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।
