କାର୍‌ ଓଲଟି ପଡ଼ିବାରୁ ୨ ମୃତ, ୨ ଗୁରୁତର ଆହତ

ଭଞ୍ଜନଗର, ୧୨/୦୫/୨୦୨୪ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲା ମୁଜାଗଡ଼ଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ଅଛନ୍ତି। ୨ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ୪ ଜଣ ସାଙ୍ଗ ଏକ କାର୍‌ରେ ଫୁଲବାଣୀରୁ ଫେରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି।

ଭଞ୍ଜନଗର ଅନ୍ତର୍ଗତ ମୁଜାଗଡ଼ ନିକଟରେ ଫୁଲବାଣୀରୁ ଆସୁଥିବା ଏକ କାର  ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ କାରରେ ଚାପି ହୋଇ ଜଣଙ୍କ ମୃତ୍ୟୁ ହୋଇଥିଲା। ସଂକଟାପନ୍ନ ଅବସ୍ଥାରେ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ। ସେଠା​‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଏହି କାର ଦୁର୍ଘଟଣାରେ ୨ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ସେମାନଙ୍କୁ ଭଞ୍ଜନଗର ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଫୁଲବାଣୀରୁ ଏକ କାର ଯୋଗେ ୪ଜଣ ସାଙ୍ଗ ଆସୁଥିଲେ। ସେମାନଙ୍କ କାରଟି ମୁଜାଗଡ଼ ନିକଟରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଣଙ୍କ ଜୀବନ ଯାଇଥିବାବେଳେ ଭଞ୍ଜନଗର ମେଡ଼ିକାଲେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ୨ଜଣ ଗୁରୁତର ଆହତ ଥିବାରୁ ସେମାନଙ୍କ ଚିକିତ୍ସା ଜାରି ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାରଟି ଦ୍ରୁତ ଗତିରେ ଆସୁଥିଲା। କାରଟି ଆସୁଥିବାବେଳେ ପ୍ରଥମେ ପଛ ଚକାଟି ବାହାରି ପଡ଼ିଥିଲା। ଏହାପରେ ୨ଟି ଚକା କାରରୁ ବାହାରି ଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। କାରରେ ଚାପି ହୋଇରହିଥିବା ସମସ୍ତ ଯୁବକଙ୍କୁ ତତ୍କାଳ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୃତକ ଓ ଗୁରୁତର ଆହତ ଯୁବକମାନଙ୍କ ପରିଚୟ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *