ଭୋଟ ଦେଉଛି ଓଡ଼ିଶା: ଅପରାହ୍‌ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ‌ମତଦାନ ହୋଇଥିବା ସୂଚନା

                                                ଇଭିଏମ ତ୍ରୁଟି ଥିବା ସ୍ଥାନରେ ଅତିରିକ୍ତ ଇଭିଏମ୍‌‌ ବ୍ୟବସ୍ଥା କରାଯାଉଛି

ଭୁବନେଶ୍ୱର,୧୩/୦୫/୨୦୨୪ (ଓଡ଼ିଶା ସମାଚାର)- ଚତୁର୍ଥ ପର୍ୟ୍ୟାୟ ସାଧାରଣ ନିର୍ବାଚନ -୨୦୨୪ର ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍‌ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ‌ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ‌ ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ୟରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ୟରେ ଅତିରିକ୍ତ ଇଭିଏମ୍ ର ବ୍ୟବସ୍ଥା କରାଯାଉଛି । ତେଣୁ ବ୍ୟସ୍ତ ନହୋଇ ସଂପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ମଧ୍ୟରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମାଲାକାନଗିରିର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ୟାମ୍ପରେ ମତଦାନ କରିଥିବା ଲୋକେ ଏଇଥର ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ୟ ସମସ୍ତ ଅଂଚଳରେ ମଧ୍ୟ ସମସ୍ତେ ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ପୁଲିସ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।

ଏପର୍ଯ୍ୟନ୍ତ କଳାହାଣ୍ଡିରେ ସର୍ବାଧିକ ଓ ବ୍ରହ୍ମପୁରରେ ସବୁଠାରୁ କମ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, କଳାହାଣ୍ଡି ଲୋକସଭା ଆସନରେ ଆଜି ଅପରାହ୍‌ଣ ୩ଟା ସୁଦ୍ଧା ୫୮ ପ୍ରତିଶତ, ନବରଂଗପୁରରେ ୫୫.୬୯%, କେରାପୁଟରେ ୫୩.୦୮%  ଓ ବ୍ରହ୍ମପୁର ୪୪.୬୫% ମତଦାନ ହୋଇଛି।

କୋରାପୁଟ ଲୋକସଭା କ୍ଷେତ୍ରରେ ୫୩.୦୮ ପ୍ରତିଶତ ଭୋଟିଂ ହୋଇଛି। ଜୟପୁରରେ ୫୪.୧୯%, କୋରାପୁଟରେ ୪୬.୮୬%, ଲଷ୍ମୀପୁରରେ ୫୪.୧୪, ପଟାଙ୍ଗୀରେ ୫୫.୨୧%, ରାୟଗଡାରେ ୫୬.୬୭%, କୋଟପାଡ଼ରେ ୪୨.୩୧ ପ୍ରତିଶତ ଭୋଟିଂ ହୋଇଛି।

Leave a Reply

Your email address will not be published. Required fields are marked *