ନିରାକାରପୁର,୦୩/୦୫/୨୦୨୪ (ଓଡ଼ିଶା ସମାଚାର)-ଲୋକ ସଂଖ୍ୟା ଓ ସାଧାରଣ ଜନତାଙ୍କ ଦାବି ମୁତାବକ ସରକାର ବର୍ତ୍ତମାନ ବହୁ ସ୍ଥାନରେ ଗୋଟିଏ ଗୋଟିଏ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଧୀନରେ ଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକୁ ଅଲଗା କରି କୋଟି କୋଟି ଟଙ୍କା ବ୍ୟୟରେ ନୂଆ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ନୂତନ ଗୃହ ନିର୍ମାଣ କରୁଛନ୍ତି। କିନ୍ତୁ ଦୁଃଖ ବିଡ଼ମ୍ବନାର ବିଷୟ ସତେ ଯେମିତି ପ୍ରାୟେ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରକୁ ଅବହେଳା କରାଯାଉଛି ବୋଲି ମନେ ହେଉଛି। ଏଠି ଦୀର୍ଘ ବର୍ଷ ଧରି କଲେଜ ଛକ ନିକଟରେ ଥିବା ନିରାକାରପୁର ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟର ଉନ୍ନତି ଓ ନବୀକରଣ କେବଳ ତାଳିପକ୍କା କାମ ଚାଲିଛି। ଏବେ ଏହା ଦୟନୀୟ ଅବସ୍ଥାରେ ଦଣ୍ଡାୟମାନ। ଏହାର ଘରଗୁଡିକ ଭାଙ୍ଗି ରୁଜି ଯାଇଥିବାବେଳେ ଯେତେ ଠିକାଦାର କାମ କରୁଛନ୍ତି କେବଳ ନଥା ପକ୍କା କାର୍ଯ୍ୟ କରିଯାଇଛନ୍ତି।ପୂର୍ବରୁ ଏହି ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଟି ଆଜବେଷ୍ଟସ ଛପରରେ ନିର୍ମାଣ କରାଯାଇଥିବା ବେଳେ ଗତ ଫନି ବାତ୍ୟାରେ ଏହାର ଆଜବେଷ୍ଟସ ଉଡ଼ି ଭାଙ୍ଗିରୁଜି ଯାଇଥିଲା। ଯେଉଁ ବିଭାଗୀୟ ଅଧିକାରୀ ମାନେ ଆସି ଏଠାରେ କାର୍ଯ୍ୟ କରିଲେ ସେମାନେ ଦିନରେ ସୂର୍ଯ୍ୟ ଓ ସନ୍ଧ୍ୟାରେ ଚନ୍ଦ୍ରର ଆଲୋକ ଅନୁଭବ କଲେ। ଦୀର୍ଘ ଦିନ ଧରି ଜରିପାଲ ଢାଙ୍କି ରଖାଯିବା ପରେ ସାମ୍ନା ପଟ ଅଫିସର ଗୋଟିଏ ଗୃହ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଠିକାଦାର ମାଧ୍ୟମରେ ଛାତ ପଡ଼ିଲା। କିନ୍ତୁ ଆଉ ଦୁଇଟି ବଡ ଗୃହ ଅଦ୍ୟାବଧି ଭଙ୍ଗା ଆଜବେଷ୍ଟସ ଢାଙ୍କି ହୋଇ ରହିଛି। ଠିକାଦାର ମାନେ ଏହି ଅଫିସକୁ ଆସୁଥିବା କାର୍ଯ୍ୟ କେତେ ଯେ ନିମ୍ନ ମାନର କରୁଛନ୍ତି ଯିଏ ଦେଖିବ ସିଏ ହିଁ ଜାଣି ପାରିବ। ଛାତରେ ତାଳି ପକ୍କା ହୋଇଛି, ଆଲାମିରରେ ଉଈ ଲାଗି ଗଲେଣି, ବର୍ଷା ହେଲେ କାନ୍ଥରୁ ଆଜବେଷ୍ଟସ ଫାଟ ଦେଇ ବର୍ଷା ପାଣି ବହୁଛି କିନ୍ତୁ ଛାତ ପାଇଁ ଅନୁଦାନ ଆସିଥିଲେ ବି କାର୍ଯ୍ୟର ଅଗ୍ରଗତି ହେଉନି। ନିରାକାରପୁର ଭଳି ପୁରାତନ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଉନ୍ନତି ତାଳି ପକ୍କା କାର୍ଯ୍ୟରେ ଚାଲିଥିବାବେଳେ ଅନ୍ୟ ସ୍ଥାନରେ ନୂତନ କାର୍ଯ୍ୟାଳୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ବଡ଼ ବଡ଼ ଅଟ୍ଟାଳିକା ମାନ ନିର୍ମାଣ ନିରାକାରପୁର ବୁଦ୍ଧିଜୀବୀ ମାନଙ୍କୁ ଦୁଃଖ ଓ ଅପମାନ ଦେଉଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି କାର୍ଯ୍ୟାଳୟକୁ ପରିଦର୍ଶନ ଆସି ଏହି ପୁରୁଣା ଘରକୁ ଭାଙ୍ଗି ନୂତନ ଭାବେ ଗୃହ ନିର୍ମାଣ କରିବାକୁ ଦାବି ହେଉଛି।
ନିରାକାରପୁର ଆରଆଇ ଅଫିସର ଦୟନୀୟ ଅବସ୍ଥା
