ଶ୍ରୀବଳଦେବଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା,୨୮/୦୫/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦେବୋତର ଟ୍ରଷ୍ଟ ବୋର୍ଡ ଓ ରଥନିର୍ମାଣ କମିଟିର ମିଳିତ ବୈଠକରେ ରଥନିର୍ମାଣ କାର୍ଯ୍ୟର ସମୀକ୍ଷା ଇଛାପୁରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ତଥା ଟ୍ରଷ୍ଟର ଅଧ୍ୟକ୍ଷ ନବକ୍ରୁଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲାପାଳ ରଘୁରାମ ଆର. ଆୟର ଯୋଗଦେଇ ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ୪ଟି ନୂଆ ଅଖ, ୧୦ଟି ନୂଆ ଚକ ନିର୍ମାଣ ସରିଥିବା ବେଳେ ନୂଆ ଘୋଡା, ପାଶ୍ୱର୍ ଦେବାଦେବୀ, ସିଂହ, ନର୍ତକୀ, ଓଲଟ ଶୁଆ, ସାରଥୀ ପ୍ରଭୃତି ନୂତନ ଭାବେ ସ୍ୱତନ୍ତ୍ର ମୂର୍ତି କାରିଗରଙ୍କ ଦ୍ୱାରା ନିର୍ମାଣ ଚାଲିଥିବା ସମ୍ପର୍କରେ ଟ୍ରଷ୍ଟର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ତଥ୍ୟ ଉପସ୍ଥାପନ କରିଥିଲେ ।

ଆସନ୍ତା ଜ୍ୟେଷ୍ଠପୂର୍ଣ୍ଣିମା ବେଳକୁ ଏହି ନୂଆ ରଥର ଚକ ଅଖରେ ସଂଯୋଗ କରାଯିବ । କାମାକ୍ଷାନଗର ରେଞ୍ଜ ଓ ସୁକିନ୍ଦା ରେଞ୍ଜରୁ ଆସିଥିବା କାଠଗଡ କରତକଳରେ ଚିରା ହେଉଛି । ଆବଶ୍ୟକ ପଡିଲେ ଆଉ ଅଧିକ କାଠ କିଣାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଜେନା କହିଛନ୍ତି । ରଥଚକଡାରେ ଥିବା ଡ୍ରେନ ପଛକୁ ହଟାଯାଇ ସେହି ସ୍ଥାନକୁ ସମତଳ କରାଯିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ପୂର୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦେଶ ଦେଇଛନ୍ତି । ଚନ୍ଦନ ପୋଖରୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲୁରହିଥିବା କଥା ସୂଚନା ଦିଆଯାଇଛି ।ମନ୍ଦିରରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମନ୍ଦିର ପରିସରରେ ଥିବା ୩୦ହଜାର ଲିଟର ଟାଙ୍କି ପାଇଁ ମାତ୍ର ୧ ଏଚପି ମୋଟରରେ ପାଣି ଉଠାଯାଉଥିବାରୁ ତାହା ମନ୍ଦିରର ଆବଶ୍ୟକତାକୁ ପୁରଣ କରିପାରୁନଥିବା ନିର୍ବାହୀ ଅଧିକାରୀ ଶ୍ରୀ ପତ୍ରୀ କହିଥିଲେ ।

ଏଥିନିମନ୍ତେ ବଡ ବୋରିଂ ଖୋଳା ଯାଇ ୮ଇଂଚିିଆ ପାଇପ ବସିବ । ଏଥିସହିତ ଅନୁ୍ୟନ ୧୦ ଏଚପି ମୋଟର ବସିଲେ ପାନୀୟ ଜଳର ସମସ୍ୟା ଦୂର ହୋଇପାରିବ ବୋଲି ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିନିମନ୍ତେ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ପୋ÷÷ରନିର୍ବାହୀ ଅଧିକାରୀ ତ୍ରୀନାଥ ବେହେରା, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ପଣ୍ଡିତ ହୃଷିକେଶ ରଥ, ପୂର୍ବତନ ପୌରାଧ୍ୟକ୍ଷ ତଥା ଟ୍ରଷ୍ଟି ଧିରେନ କୁମାର ସାହୁ,ରଥ କମିଟି ସଭ୍ୟ ରଞ୍ଜନ କୁମାର ପୃଷ୍ଟି, ରଘୁନାଥ ମହାରଣା,ଅନନ୍ତ ଚରଣ କର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *