କେନ୍ଦ୍ରାପଡ଼ା, ୦୫/୯/୨୦୨୪ (ଓଡ଼ିଶା ସମାଚାର)- ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲାପାଳଙ୍କ ସଦଭାବନା ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଶ୍ରୀ ପ୍ରଧାନ କହିଥିଲେ ଯେ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ସଶକ୍ତ କରିବ । ଏହି ଯୋଜନାରେ ସମସ୍ତ ହିତାଧିକାରୀ ସାମିଲ ହୋଇପାରିବେ । ମହିଳାମାନଙ୍କୁ ବାର୍ଷିର୍କ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ୫ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଗୋଟିଏ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ୟ କିସ୍ତି ଆନ୍ତର୍ଜାତିକ ମହିଳା ଦିବସରେ ପ୍ରଦାନ କରାଯିବ । ମହିଳାମାନଙ୍କ ବ୍ୟାଙ୍କ ଆକାଉନ୍ଟରେ ଆଧାର ସଂଲଗ୍ନ ଥିଲେ ଟଙ୍କା ସିଧାସଳଖ ସେମାନଙ୍କ ଆକାଉନ୍ଟକୁ ଯିବ । କେନ୍ଦ୍ରାପଡା ଜିଲାରେ ୭ଲକ୍ଷ ସୁଭଦ୍ରା ଯୋଜନା ଫର୍ମ ବଂଟା ଯାଇଛି । ମହିଳାମାନେ ବ୍ଲକ କାର୍ଯ୍ୟାଳୟ, ପୌରପାଳିକା, ଶିଶୁ ବିକାଶ ଯୋଜନା ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟ, ଅଙ୍ଗନୱାଡିକେନ୍ଦ୍ର, ମୋ ସେବା କେନ୍ଦ୍ରରୁ ମାଗଣାରେ ଏହି ଫର୍ମ ପାଇପାରିବେ । ଆଧାରକାର୍ଡ ସଂଶୋଧନ ଏବଂ ମୋବାଇଲ ନମ୍ବର ସଂଯୋଜଗୀକରଣ ପାଇଁ ଜିଲାରେ ୧୪୨ଟି ଶିବିର ଖୋଲାଯାଇଛି । ଏଥିରେ ମାଗଣାରେ ସମସ୍ତ ସେବା ଉପଲବ୍ଧ ହେବ । ଜିଲାରେ ୧୦୨୪ଟି ଜନସେବା କେନ୍ଦ୍ରରେ ସୁଭଦ୍ରା ଫର୍ମ ମିଳିବାର ବ୍ୟବସ୍ଥା କରାଯାଇଛି । ଏହାକୁ ତଦାରଖ କରିବା ପାଇଁ ୪୨୪ଜଣ ନୋଡାଲ ଅଧିକାରୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲାପାଳ କହିଥିଲେ । ଏଥିପାଇଁ କୌଣସି ବ୍ୟକ୍ତି ବା ସଂସ୍ଥା ଅର୍ଥ ଦାବି କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ସୁଦ୍ଧା ଏସଙ୍କ୍ରାନ୍ତରେ ୪୨ଟି ଅଭିଯୋଗ ମିଳିଛି । ଏଗୁଡିକର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଥିଲେ । ଏସମ୍ପର୍କରେ କାହାରି କୌଣସି ଅଭିଯୋଗ ଥିଲେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର କୁଇନି ଜେନାଙ୍କୁ ମୋବାଇଲ ନମ୍ବର- ୬୩୭୧୬୮୮୩୩୧ ଓ ଜିଲା ମମତା ସଂଯୋଜକ ମନୋରଞ୍ଜନ ଦାସଙ୍କୁ ମୋବାଇଲ ନମ୍ବର- ୯୪୩୮୩୭୩୯୨୮ରେ ଯୋଗାଯୋଗ କରି ଅଭିଯୋଗ କରିପାରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଡେପୁଟୀ କଲେକ୍ଟର କୁଇନି ଜେନା, ମମତା ଜିଲା ସଂଯୋଜକ ମନୋରଞ୍ଜନ ଦାସ, ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
