ଭୁବନେଶ୍ୱର, ୨୭/୧୧/୨୦୨୩ (ଓଡ଼ିଶା ସମାଚାର)- ବହୁ କଳ୍ପନାଜଳ୍ପନା ଓ ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଭି.କେ. ପାଣ୍ଡିଆନ ବିଜେଡିରେ ଯୋଗଦେବା ପୂର୍ବରୁ ଆଜି ସକାଳେ ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମୀର ଦାଶ, ସଞ୍ଜୟ ଦାସ ବର୍ମା, ପ୍ରସନ୍ନ ଆଚାର୍ୟ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଅଶୋକ ପଣ୍ଡା,ମାନସ ମଙ୍ଗରାଜ ଓ ବିଜେଡିର ଅନ୍ୟ କେତେକ ବରିଷ୍ଠ ନେତା ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ‘ନବୀନ ଓଡ଼ିଶା’ ଓ ୫ଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ।
୨୦୦୦ ବ୍ୟାଚ୍ର ପଞ୍ଜାବ କ୍ୟାଡ଼ରରେ ଆଇଏଏସ୍ ଅଫିସର ଭି କାର୍ତ୍ତିକେୟ ପାଣ୍ଡିଆନ୍ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ। ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ। ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।