ଭୁବନେଶ୍ୱର,୨୮/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଚିନ୍ତାଧାରା ଉପରେ ସମସ୍ତେ ସଚେତନ ହେବା ଆବଶ୍ୟକ । ରାଜ୍ୟରେ ଆମ୍ବେଦକରଙ୍କ ଚିନ୍ତାଧାରା କାର୍ଯ୍ୟକାରୀ କରିବାକୁ ଆମ୍ବେଦକର ସମାଜ ସେବା ଆସୋସିଏସନ (ଆଶା) ଓଡ଼ିଶା ଶାଖା ପକ୍ଷରୁ ଦାବି କରାଯାଇଛି ।
ଶୁକ୍ରବାର ସ୍ଥାନୀୟ ରେଡ଼କ୍ରସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆସୋସିଏସନର ମୁଖ୍ୟ ଉପଦେଷ୍ଟା ଭଜମନ ବେହେରା ଓ ସଭାପତି ମୁରଲୀଧର ଦାସ ଭାରତବର୍ଷରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅସମାନତା ସମ୍ପର୍କରେ ମତ ରଖିଥିଲେ ।
ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ସମ୍ବିଧାନର ଶାସନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ରାଜନୈତିକ ନ୍ୟାୟ ନାଗରିକଙ୍କ ହାତରେ ରହିଛି । ତେବେ ଅସାଧୁ ଉପାୟରେ ଯେଉଁ ଭୋଟ ଆଦାୟ କରି ସରକାର ଗଠିତ ହେଉଛି ତାଙ୍କ ଦ୍ୱାରା ସାମାଜିକ ଓ ଆର୍ଥିକ ନ୍ୟାୟର କୌଣସି ସମ୍ଭାବନା ନାହିଁ । ସମଗ୍ର ଦେଶରେ ସାମାଜିକ ଓ ଆର୍ଥିକ ନ୍ୟାୟରୁ ଲୋକେ ବଂଚିତ ହେଉଛନ୍ତି । ଜନସାଧାରଣ ଏ ସମ୍ପର୍କରେ ସଚେତନ ହେବା ଦରକାର ।
ଆମ୍ବେଦକରଙ୍କୁ ଭାରତବର୍ଷର ସମ୍ବିଧାନ ରଚନା ଦାୟିତ୍ୱ ମିଳିଥିବାରୁ ସମାଜ ସୁଧାର ପାଇଁ ତାଙ୍କର ସମସ୍ତ ଅନୁଭୂତି ସମ୍ପର୍କରେ ସେମାନେ ଉଲ୍ଲେଖ କରିଛନ୍ତି । ତେଣୁ ତାଙ୍କର ଚିନ୍ତାଧାରା କାର୍ଯ୍ୟକାରୀ କରାଯିବା ଦରକାର । ସେମାନେ କହିଲେ ଯେ ଆମ ଦେଶ ସମସ୍ତ ଲୋକ ଭାରତୀୟ । ଏହି ଦେଶରେ ଲିଙ୍ଗ ଜାତିଭେଦ ଓ ଧର୍ମଭେଦ ରହିବ ନାହିଁ । ସମସ୍ତ ନାଗରିକଙ୍କୁ ଶାସନ ବ୍ୟବସ୍ଥା ଦେବା ପାଇଁ ଆମ୍ବେଦକର ମତ ଅଧିକାର ଦେଲେ ।
ଯେଉଁମାନେ ଶିକ୍ଷା ସାମାଜିକ ପ୍ରାନ୍ତର ଓ ପ୍ରତିନିଧି ବ୍ୟବସ୍ଥାରୁ ବଂଚିତ ଥିଲେ, ସେମାନଙ୍କୁ ତାଙ୍କ ଜନସଂଖ୍ୟା ଅନୁପାତରେ ଭାଗ ଦାବି କରାଇଲେ । ଯିଏ ଯେଉଁ ଧର୍ମ ପାଳନ କରୁଛି, ସେଥିରେ ହସ୍ତକ୍ଷେପ ନକରି ସୁରକ୍ଷା ଦିଆଯାଉଛି । ରାଜନୈତିକ ନ୍ୟାୟ ନାଗରିକଙ୍କ ହାତରେ, କାରଣ ଧନୀ ଏବଂ ଶିକ୍ଷିତ ଲୋକଙ୍କର ଯେପରି ଗରିବ ଓ ଅଶିକ୍ଷିତ ନାଗରିକଙ୍କର ଗୋଟିଏ ଭୋଟ, କିନ୍ତୁ ଏମାନଙ୍କର ବି ଗୋଟିଏ ଭୋଟ ବୋଲି ସେମାନେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଆଶା ସଂଗଠନର ସାଧାରଣ ସମ୍ପାଦକ ମହେଶ ମିଶ୍ର, ଉପସଭାପତି ପ୍ରଭାତ କୁମାର ସ୍ୱାଇଁ, ତି୍ରଲୋଚନ ରାଉତ ଓ ରବି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
