ଷଷ୍ଠତମ ଚୁଡ଼ଙ୍ଗଗଡ଼-ବାରଙ୍ଗ ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ

ଚୁଡ଼ଙ୍ଗଗଡ଼ବାରଙ୍ଗର ବିକାଶ ପୁନରୁଦ୍ଧାର ପାଇଁ ମିଳିତ ଭାବେ କାମ କରିବାଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)-ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ରଖୁଥିବା ଚୁଡ଼ଙ୍ଗଗଡ଼-ବାରଙ୍ଗର ବିକାଶ ଓ ପୁନରୁଦ୍ଧାର ପାଇଁ ଆମକୁ ମିଳିତ ଭାବେ ଦାୟିତ୍ୱ ନେଇ କାମ କରିବାକୁ ପଡ଼ିବ ବୋଲି ରବିବାର ଷଷ୍ଠତମ ଚୁଡ଼ଙ୍ଗଗଡ଼-ବାରଙ୍ଗ ମହୋତ୍ସବ-୨୦୨୩ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନେକ ଇତିହାସର ମୁକସାକ୍ଷୀ ତଥା ପଦ୍ମପୋଖରୀର ଏହି ଅଞ୍ଚଳକୁ ଆସିବା ମୋ ପାଇଁ ସୌଭାଗ୍ୟର ବିଷୟ । ମାଦଳାପାଞ୍ଜି ଅନୁସାରେ ନବମ ଶତାବ୍ଦୀରେ ସୋମବଂଶୀ ରାଜା ଲଲାଟେନ୍ଦୁ କେଶରୀଙ୍କ ଦ୍ୱାରା ସାରଙ୍ଗଗଡ଼ର ନିର୍ମାଣ ଏଠାରେ ହୋଇଥିଲା । ଅର୍ଥାତ୍ ୧୨ ଶହ ବର୍ଷ ପୂର୍ବରୁ ଏଠାରେ ଜନବସତି ଥିଲା । ପରବର୍ତ୍ତୀ କାଳରେ ଗଙ୍ଗବଂଶୀ ରାଜା ଅନନ୍ତବର୍ମନ୍ ଚୋଡ଼ଗଙ୍ଗ ଦେବ ଏହି ଦୁର୍ଗକୁ ଦଖଲ କରିବା ପରେ ଏହାକୁ ଚୁଡ଼ଙ୍ଗଗଡ଼ ଭାବେ ନାମିତ କରାଯାଇଥିବା ଇତିହାସକାରମାନେ ମତ ଦିଅନ୍ତି ।

ବାରଙ୍ଗ ଅଞ୍ଚଳ କାଚ କାରଖାନା ସାରା ଓଡ଼ିଶାରେ ପରିଚିତ । ନନ୍ଦନକାନନର ପରିଚୟ ମଧ୍ୟ ବାରଙ୍ଗ । ତେଣୁ ଏହି ଚୁଡଙ୍ଗଗଡ ଓ ବାରଙ୍ଗକୁ ପର୍ଯ୍ୟଟନ ଦୃଷ୍ଟିରୁ କିପରି ସଂରକ୍ଷଣ କିପରି କରାଯାଇପାରେ, ବିକାଶ କରାଯାଇପାରେ ତାହା ଉପରେ କେବଳ ସରକାର ନୁହେଁ ସମାଜକୁ ମଧ୍ୟ ଚିନ୍ତା କରିବାକୁ ହେବ । ଏହାର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ପଡିବ । ସମସ୍ତଙ୍କୁ ମିଳିତ ଭାବରେ ଦାୟିତ୍ୱ ନେବା ପାଇଁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ଶୁଭେଚ୍ଛା ଜଣାଇଛନ୍ତି । ଐତିହାସିକ ଚୁଡ଼ଙ୍ଗଗଡ଼-ବାରଙ୍ଗ ମାଟିର କଳା, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଆୟୋଜନ କରୁଥିବାରୁ ଆୟୋଜକ କମିଟିକୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *