ଓଡ଼ିଆ ସାହିତ୍ୟ ସମାରୋହ

‘ବିଦଗ୍ଧକବି ଅଭିମନୁ୍ୟ ଓଡ଼ିଆ ସାହିତ୍ୟରେ ପ୍ରେମର ସଂଜ୍ଞାକାର’
ଭୁବନେଶ୍ୱର,୨୮/୦୩/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଅପ୍ରାକୃତପ୍ରେମ ସମ୍ବଳିତ ଅପୂର୍ବ ସଂଗୀତ ଓ ସାହିତ୍ୟର ନିର୍ମାତା ବିଦଗ୍ଧକବି ଅଭିମନୁ୍ୟ ସାମନ୍ତସିଂହାର । ସେ ହେଉଛନ୍ତି ଓଡିଆ ସାହିତ୍ୟରେ ପ୍ରେମର ପ୍ରକୃଷ୍ଟ ସଂଜ୍ଞାକାର ବୋଲି ମତ ପ୍ରକାଶ ପାଇଛି । ଗତକାଲି ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଭୁବନେଶ୍ୱର ଭଞ୍ଜଭାରତୀର ରୌପ୍ୟଜୟନ୍ତୀ ଅବସରରେ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ହେଉଥିବା ପଂଚଦିବସୀୟ ଓଡ଼ିଆ ସାହିତ୍ୟ ସମାରୋହର ‘ସିଂହାରଶୃଙ୍ଗାର’ ଶୀର୍ଷକ ଚତୁର୍ଥ ଦିବସରେ ଏହା ମତପ୍ରକାଶ ପାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱରସ୍ଥିତ ପଦାର୍ଥବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଧେଶକ ପ୍ରଫେସର କରୁଣାକର ନନ୍ଦ ଯୋଗଦେଇ ଓଡ଼ିଆ ଜନଜୀବନରେ କବି ଅଭିମନୁ୍ୟଙ୍କ ରଚନାବଳୀର ସାର୍ବକାଳିକ ପ୍ରଭାବ ସମ୍ପର୍କରେ ଅବତାରଣା କରିଥିଲେ । ସେହିପରି ବରେଣ୍ୟ ଅତିଥିଭାବେ ସୂଚନା ଲୋକସଂପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଧେଶକ ତଥା ଗୋଳକୁଣ୍ଡସ୍ଥିତ ଅଭିମନୁ୍ୟ ସାଂସ୍କୃତିକ ପରିଷଦର ସଭାପତି ସରୋଜ କୁମାର ସାମଲ ବିଦଗ୍ଧକବିଙ୍କ ସାହିତ୍ୟ ସର୍ଜନାର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କରିଥିଲେ । ସଭାର ବରେଣ୍ୟ ବକ୍ତା ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡକ୍ଟର ବ୍ରଜସୁନ୍ଦର ମିଶ୍ର ଓଡିଆ ସାହିତ୍ୟରେ କବି ଅଭିମନୁ୍ୟଙ୍କ ସାରସ୍ୱତ ସୃଷ୍ଟିର ବୈଶିଷ୍ଟ୍ୟ ବର୍ଣ୍ଣନା କରିଥିଲେ ।

ଅନ୍ୟତମ ବରେଣ୍ୟବକ୍ତା ତଥା ସଂସ୍କୃତ ଅଧ୍ୟାପିକା ଡକ୍ଟର ମନସ୍ୱିନୀ ମିଶ୍ର କବି ଅଭିମନୁ୍ୟଙ୍କ ସଂଗୀତ ଓ ଭକ୍ତିଚେତନାର ଅବତାରଣା କରିଥିଲେ । ସଭାର ସଭାପତି ଓ ମୁଖ୍ୟ ଆଲୋଚକ ତଥା ଭଞ୍ଜଭାରତୀର ସଭାପତି ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ ବିଦଗ୍ଧକବିଙ୍କ ସାହିତ୍ୟରେ ପ୍ରେମତତ୍ୱର ବିଶଦ ବ୍ୟାଖ୍ୟା ସହ ସେଥିରେ ଥିବା ଆଧ୍ୟାତ୍ମିକ ବୈଭବ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ‘ନାଦବ୍ରହ୍ମ’ପକ୍ଷରୁ ବିଶିଷ୍ଟ କଂଠ ଶିଳ୍ପିନୀ ମହାପାତ୍ର ମିନତି ଭଞ୍ଜ ଓ ପ୍ରଫେସର ଜଗନ୍ନାଥ କୁଅଁରଙ୍କ ଦ୍ୱାରା ଚମ୍ପୁ ପରିବେଷିତ ହୋଇଥିଲା ।

ଭଞ୍ଜଭାରତୀର ସଦସ୍ୟ ଡକ୍ଟର ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ସଂପାଦିକା ଶୁଭଶ୍ରୀ ମିଶ୍ର, କୋଷାଧ୍ୟକ୍ଷା ଶୈଳଜା ମିଶ୍ର ଓ ଉପସଭାପତି ସୁରେଶ୍ୱର ପାଣିଗ୍ରାହୀଙ୍କ ସମେତ ସଦସ୍ୟ ଦିଲୀପ ଦାସ, ଡକ୍ଟର ନୀଳମାଧବ ପ୍ରଧାନ, ଗିରିଜା ପ୍ରସାଦ ମିଶ୍ର, ଗତିକୃଷ୍ଣ ଦାଶ, ସନ୍ତୋଷ ବେହେରା, ନରେନ୍ଦ୍ର ସାହୁ, ବିନାୟକ ରଥ, ମାଳତୀ ତ୍ରିପାଠୀ, ଆଶୁତୋଷ ମହାସୁଆର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ମେଧିର ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *