ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କୁ ଶ୍ରଦ୍ଧାଞ୍ଜଳି

                     ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅବିସ୍ମରଣୀୟ: ଅତିଥି

ଭୁବନେଶ୍ୱର,୨୬/୦୪/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଉତ୍କଳମାତାର ଜଣେ ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଆଦର୍ଶ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା, ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ଏବଂ ସାହିତ୍ୟାନୁରାଗୀ । ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ସେ ଥିଲେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଦୁଇଥର ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଓଡ଼ିଶାରେ ଅନେକ ଜନହିତକର ଏବଂ ଉନ୍ନୟନମୂଳକ କାର୍ଯ୍ୟ କରିଯାଇଛନ୍ତି ବୋଲି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ପ୍ରକାଶ କରିଛନ୍ତି ।

ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଭୁବନେଶ୍ୱରସ୍ଥ ପାରଳା ଗଜପତି ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଶ୍ରୀ ଜ୍ୟୋତି ପ୍ରକାଶ ଦାସ କହିଲେ ଯେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏକାଧାରରେ ଜଣେ ସୁଯୋଗ୍ୟ ଶାସକ, ଜାତିପ୍ରାଣ, ଦକ୍ଷ ପ୍ରଶାସକ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନନ୍ୟ ବିନ୍ଧାଣି ଥିଲେ । ମହାରାଜାଙ୍କର ମହିମାମୟ ବ୍ୟକ୍ତିତ୍ୱ ସହିତ ସ୍ୱାଭିମାନ, ଓଡ଼ିଆ ଅସ୍ମିତା ଏବଂ ଜାତୀୟତା ଭାବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର କହିଲେ ଯେ ବିଖଣ୍ଡିତ ଓଡ଼ିଶା ଏବଂ ଲୁପ୍ତପ୍ରାୟ ଓଡ଼ିଆ ଭାଷାର ପୁନରୁଦ୍ଧାର କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କୁ ଏକ ଶାସନାଧୀନ କରିବା ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଆପ୍ରାଣ ଉଦ୍ୟମ କରିଥିଲେ ।

ଯୁବ ସଂସ୍କୃତି ଗବେଷକ ଶ୍ରୀ ବିଷ୍ଣୁମୋହନ ଅଧିକାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନୀ, କୃତି ଓ କୀର୍ତ୍ତି ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ରଖି କହିଲେ ଯେ ମହାରାଜା ପ୍ରକୃତରେ ଜଣେ ପ୍ରଦେଶିକ ବ୍ୟକ୍ତିତ୍ୱ ନଥିଲେ, ବରଂ ଜଣେ ରାଷ୍ଟ୍ରୀୟ ଖ୍ୟାତିସଂପନ୍ନ ବ୍ୟକ୍ତିତ୍ୱ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । ଉତ୍କଳ ସମ୍ମିଳନୀରେ ଓଜସ୍ୱୀ ବକ୍ତବ୍ୟ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ତାଙ୍କର ପ୍ରତିବଦ୍ଧତା ବାସ୍ତବିକ ଅନନ୍ୟ । ଶିକ୍ଷା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ସଂଗୀତ ଏବଂ ଓଡ଼ିଶା ରାଜ୍ୟର ବିକାଶ ଆଦି ପ୍ରତ୍ୟେକ କ୍ଷେତ୍ରର ଉନ୍ନତିକଳ୍ପେ ସେ କାର୍ଯ୍ୟ କରିଥିଲେ ବୋଲି ଶ୍ରୀ ଅଧିକାରୀ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଜଣେ ପ୍ରଜାନୁରଞ୍ଜନ ଶାସକ ଥିଲେ । ଭାଷା, ସାହିତ୍ୟ, ସଂସ୍କୃତି ସହିତ ଏକ ଉନ୍ନତ ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ସେ ଉତ୍କର୍ଗୀକୃତ ଭାବେ କାର୍ଯ୍ୟ କରିଥିଲେ । ଦଶମ ଉତ୍କଳ ସମ୍ମିଳନୀରେ ତାଙ୍କର ଅଭିଭାଷଣ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କୁ ଚମତ୍‌କୃତ କରିଥିଲା । କହିବାକୁ ଗଲେ ୧୯୩୬ ମସିହାର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମୂଳଦୁଆ ସେ ପକାଇଥିଲେ ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ । ପାରଳା ଗଜପତି ବିକାଶ ମଞ୍ଚ, ଭୁବନେଶ୍ୱରର ସଭାପତି ଶ୍ରୀ ଦିଗ୍‌ବିଜୟ ନାଥ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀ ପ୍ରଶାନ୍ତ ପାଢ଼ୀ ଓ ସାଥୀଙ୍କ ଦ୍ୱାରା ସଂଗୀତ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *