ଭୁବନେଶ୍ୱର,୧୬/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଇତି ମଧ୍ୟରେ ଓଡ଼ିଶା ଡିପ୍ଲୋମା ଇଞ୍ଜନିୟର ଆସୋସିଏସନ୍ ସମ୍ମିଳନୀ କକ୍ଷରେ ଓଡ଼ିଶା ବ୍ରାହ୍ମଣ ମହାସଂଘର ୨୪ ତମ କାର୍ୟ୍ୟକାରିଣୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ରାଜ୍ୟ ସଭପତି ଡକ୍ଟର ସଦାନନ୍ଦ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରାହ୍ମଣ ମାନଙ୍କୁ ସନାତନ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ସକ୍ରିୟ ହେବାକୁ ପରାମର୍ଶ ଦେଇଥିଲେ। ସମସ୍ତ ଜିଲ୍ଲାର ସଭାପତି ସମ୍ପାଦକ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ମହାସଂଘର କାର୍ୟକ୍ରମ, ସମସ୍ୟା ଓ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ।ମୁଖ୍ୟ ବକ୍ତା ଭାବେ ସମ୍ ହସ୍ପିଟାଲର ନିର୍ଦ୍ଦେଶକ ତଥା ପ୍ରସିଦ୍ଧ ଡ଼ାକ୍ତର ଅଶୋକ କୁମାର ମହାପାତ୍ର ଯୋଗଦେଇ ମହାସଂଘ ତରଫରୁ ପୁରୀରେ ମାଳତିପାଟପୁର ବସଷ୍ଟାଣ୍ଡ ନିକଟରେ ବିଶାଳ ବ୍ରାହ୍ମଣ ଭବନ ନିର୍ମାଣ ପାଇଁ କିଣା ଯାଇଥିବା ଜମିରେ ନୂତନ ଭାବେ ନିର୍ମାଣ ହେବାକୁଥିବା ବ୍ରାହ୍ମଣ ଭବନର ଶୁଭାରମ୍ଭ କରି ବ୍ରାହ୍ମଣ ମାନଙ୍କୁ ଧାର୍ମିକ ଓ ସାମାଜିକ କାର୍ୟକ୍ରମର ନେତୃତ୍ୱ ନେବାକୁ ପରାମର୍ଶ ଦେଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥିଭାବେ ଆକାଶବାଣୀ ଓ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ କୁମାର ରଥ ଶ୍ରୀକ୍ଷେତ୍ର ବ୍ରାହ୍ମଣ ଭବନ ଏକ ଧର୍ମଶାଳା ନ ହୋଇ ବ୍ରାହ୍ମଣ ସଂସ୍କୃତି, ପରମ୍ପରା, ଓ କର୍ମକାଣ୍ଡ ର ଏକ ଜ୍ଞାନ ପୀଠ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀକ୍ଷେତ୍ର ବ୍ରାହ୍ମଣ ଭବନ ପାଇଁ ଆଠ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହେବାର ଅଛି ଏବଂ ସରକାରୀ, ବେସରକାରୀ ତଥା ଓଡ଼ିଶାର ୧୫ ଲକ୍ଷ୍ୟ ବ୍ରାହ୍ମଣ ପରିବାରର ସହଯୋଗରେ ୩ ବର୍ଷ ମଧ୍ୟରେ ନିର୍ମାଣ ସରିବ ବୋଲି ଘୋଷଣା କରିଥିଲେ ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ଇଞ୍ଜିନିୟର ଜଗନ୍ନାଥ ପାଢ଼ୀ। କାର୍ୟକାରୀ ସଭାପତି ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା ନିଜ ବକ୍ତବ୍ୟରେ ସଂଗଠନକୁ ଶକ୍ତିଶାଳୀ କରିବାକୁ ହେଲେ ପଞ୍ଚାୟତ ସ୍ତରରୁ କାର୍ୟକ୍ରମ ଆରମ୍ଭ କରିବାକୁ ଗୁରୁତ୍ଵ ଆରୋପ କରିଥିଲେ। ପ୍ରାରମ୍ଭରେ ଆୟୋଜକ ସୁବ୍ରତ ଦାସ ସମସ୍ତଙ୍କୁ ସ୍ଵାଗତ କରିଥିଲେ। କାର୍ୟକାରୀ ସମ୍ପାଦକ ଶ୍ରୀ ରାମ ପ୍ରସାଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ ଓ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାପାତ୍ର ମହାସଂଘର ବାର୍ଷିକ ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ।
ଅତିଥି ମାନଙ୍କ ଦ୍ଵାରା ମହସଂଘର ପତ୍ରିକା ବ୍ରହ୍ମସନ୍ଦେଶଲୋକାର୍ପିତ ହୋଇଥିଲା ପରେ ପରେ ପୁରସ୍କାର ଓ ସମ୍ବର୍ଧନା ଦେବା କାମ ଆରମ୍ଭ ହେବା ଅବସରରେ ଡ଼ାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ବ୍ରାହ୍ମଣ କୁଲଭୂଷଣ ୨୦୨୫ ଓ ଶାନ୍ତନୁ କୁମାର ରଥଙ୍କୁ ବ୍ରାହ୍ମଣ କୂଳ ଗୌରବ ଉପାଧି ପ୍ରଦାନ କରାଯାଇଥିଲା। ଜମି କିଣିବା ପାଇଁ ଆର୍ଥିକ ସହାୟତା କରିଥିବା ୧୨୮ ଜଣ ବ୍ରାହ୍ମଣ ବନ୍ଧୁ ମାନଙ୍କୁ ଉପଢୌକନ ଓ ପ୍ରଶସ୍ତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମହାସଂଘର ଆବାହକ ଶ୍ରୀକାନ୍ତ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
