ଯୁବ-ଛାତ୍ରଭବିଷ୍ୟତର ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ର ପରିବର୍ତ୍ତନ ପାଇଁ ଓଡ଼ିଶାର ଯୁବ-ଛାତ୍ରଙ୍କୁ ଆହ୍ୱାନ
ଭୁବନେଶ୍ୱର, ୨୬/୦୪/୨୦୨୪ (ଓଡ଼ିଶା ସମାଚାର)- ରାଷ୍ଟ୍ର ତଥା ରାଜ୍ୟର ସବୁଠାରୁ ବଡ ଶକ୍ତି ହେଉଛି ଯୁବ ଶକ୍ତି , କାରଣ ସମଗ୍ର ଜନସଂଖ୍ୟାର ଶତକଡା ୬୫ ଭାଗ ଅଧିକ ଯୁବ ଶକ୍ତି ଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଓ ଆତ୍ମନିର୍ଭରଶୀଳ କରିବାରେ ବିଫଳ ହୋଇଛି। ପ୍ରତି ନିର୍ବାଚନରେ ଶାସକ ଦଳ ହେଉ ଅଥବା ବିରୋଧୀ ନିର୍ବାଚନରେ ଜିତିଲେ ଯୁବ ସମାଜ ପାଇଁ ଯୋଜନାବଦ୍ଧ ଇସ୍ତାହାର ମାଧ୍ୟମରେ ଉପସ୍ଥାପନ କରିଥାନ୍ତି। ଅତି ଦୁଃଖ ଓ ବିଡ଼ମ୍ବନାର ବିଷୟ ଚଳିତ ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ବିଜେପି ନେତୃତ୍ବାଧୀନ ଏନଡିଏ ପକ୍ଷରୁ “ଅଵକି ବାର ୪୦୦ ପାର୍” ହେଉଛି ଦେଶର ଯୁବ ସମାଜ ଆଗରେ ମୁଖ୍ୟ ସମସ୍ୟା। କ’ଣ ବିଜେପି ନେତୃତ୍ବାଧୀନ ଏନଡିଏ ୪୦୦ରୁ ଅଧିକ ଆସନ ପାଇଗଲେ ୧୪୫ କୋଟି ଜନଗଣଙ୍କ ମଧ୍ୟରୁ ୬୫ କୋଟିରୁ ଅଧିକ ଜନସଂଖ୍ୟା କେବଳ ଯୁବ ସମାଜ ଥିବା ବେଳେ ଏମାନଙ୍କ ଭିତରୁ କର୍ମନିଯୁକ୍ତିର ମହାସଙ୍କଟ ସମାଧାନ ହୋଇଯିବ କି ? ୧୦ ବର୍ଷ ତଳେ ମାନ୍ୟବର ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରରେ ଗଲାବେଳେ ଯୁବ ସମାଜକୁ ଆକୃଷ୍ଟ କରି ଭୋଟ ନେବା ପାଇଁ ବାର୍ଷିକ ୨ କୋଟି କର୍ମନିଯୁକ୍ତିର ପ୍ରତିଶ୍ରୁତି ଦେଇ ଭୋଟ ନେଲେ, କ୍ଷମତାରେ ବସିଲେ ଓ କ୍ଷମତାରେ ବସିବା ପରଠାରୁ ସର୍ବାଧିକ କର୍ମନିଯୁକ୍ତିର ସୁଯୋଗ ଥିବା ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ କରାଇ ନିଜ ନିର୍ବାଚନ ପାଇଁ ଚାନ୍ଦା ଦେଇଥିବା କମ୍ପାନୀମାନଙ୍କ ପାଦ ତଳେ ସମର୍ପଣ କରିଚାଲିଲେ ଓ ଓଡ଼ିଶାରେ ଥିବା ରାଜ୍ୟ ସରକାର ତାହାକୁ ସମର୍ଥନ କରିଚାଲିଲେ। ସର୍ବବୃହତ୍ତ ସେବାକ୍ଷେତ୍ରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଙ୍ଗଠିତ କୃଷି କ୍ଷେତ୍ର, ନିର୍ମାଣ କ୍ଷେତ୍ର, ଖୁଚୁରା ବଜାର କ୍ଷେତ୍ରରେ ରାହୁ ପୁଞ୍ଜିପତିମାନଙ୍କ ଲୁଣ୍ଠନ ପାଇଁ ପୂର୍ଣ୍ଣ ସମର୍ଥନ କଲେ। ଏପରି ଏକ ଜଟିଳ ପରିସ୍ଥିତିରେ ୨୦୨୪ ନିର୍ବାଚନର ଆହ୍ୱାନକୁ ଭାରତବାସୀ ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ଗଣତନ୍ତ୍ର, ସମ୍ବିଧାନ, ଯୁବ-ଛାତ୍ରର ଭବିଷ୍ୟତର ସୁରକ୍ଷା ତଥା ଫାଶିବାଦକୁ ରୋକିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଲାଗିଥିବା ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ହଟାଇବା ସହ କେନ୍ଦ୍ରରେ ଗତ ୨୦୧୪ର ଏକଛତ୍ରବାଦ ବିଜେପି ଶାସନର ପରିବର୍ତ୍ତନ ଅତ୍ୟନ୍ତ ଜରୁରୀ। ଅନ୍ୟପକ୍ଷରେ ସେହି ସରକାରର ଜନ ବିରୋଧୀ ଆଇନ ତଥା ସମସ୍ତ ନୀତି ନିୟମକୁ ନିଃସର୍ତ୍ତ ସମର୍ଥନ ସହ ରାଜ୍ୟର ପ୍ରାକୃତିକ ସମ୍ପଦର ଲୁଟ୍ ପାଇଁ ଦୁଆର ଖୋଲାକରି ଦେଇଥିବା ରାଜ୍ୟ ବିଜେଡ଼ି ସରକାରକୁ ହଟାଇବା ମଧ୍ୟ ଏକାନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସଚେତନ ଯୁବ-ଛାତ୍ରମାନଙ୍କ ପକ୍ଷରୁ ଗତ ୧୦ ବର୍ଷର କେନ୍ଦ୍ର ସରକାର ଓ ୨୪ ବର୍ଷର ରାଜ୍ୟ ସରକାରର ବିଫଳତାକୁ ୨୦୨୪ ନିର୍ବାଚନରେ ପ୍ରଶ୍ନ କରିବାକୁ ଓଡ଼ିଶାର ଯୁବ-ଛାତ୍ର ମାନଙ୍କୁ ଆହ୍ୱାନ କରିଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରର ପରିବର୍ତ୍ତନ ତଥା ସମ୍ବିଧାନର ମୁଖଶାଳାରେ ଲିଖିତ ଶପଥ ଅନୁଯାୟୀ ପ୍ରତ୍ୟେକ ରାଜନୈତିକ ଓ ଆଚରଣ ନିର୍ଦ୍ଧାରିତ ହେବା ସହ ନୂଆ ସରକାର ସମ୍ମୁଖରେ ଏକ ଯୁବ ଅଧିକାର ପତ୍ର ପ୍ରସ୍ତୁତ କରି ଓଡ଼ିଶାବାସୀଙ୍କ ସହଯୋଗ କାମନା କରିଛନ୍ତି।
ଏହି ପରିପ୍ରେକ୍ଷୀରେ ସର୍ବୋଦୟ ନେତା ଡଃ ବିଶ୍ଵଜିତଙ୍କ ସଂଯୋଜନାରେ ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଦେବପ୍ରସାଦ ରାୟ, ମିହିର ପ୍ରତାପ ଦାସ, ଜୟନ୍ତ କୁମାର ଦାସ, ଅଶୋକ ସାହୁ, ରଙ୍ଗାଚରଣ ପ୍ରଧାନ, ସତୀଶ ମିଶ୍ର, ମହମ୍ମଦ ସୁକୃ, ସଂଗ୍ରାମ କିଶୋର, ଶୁଭାଶିଷ ସ୍ୱାଇଁ, ଶୁଭେନ୍ଦୁ ମଲ୍ଲିକ, ଚିଦାନନ୍ଦ ଜେନା, ଦିଲ୍ଲୀପ ବେହେରା, ରାକେଶ କାନୁନଗୋ, ତାପସ ସେଠୀ, ନଳିନୀକାନ୍ତ ନାୟକ, କର୍ମବୀର କଳ୍ପତରୁ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ପ୍ରଦାନ କରିବା ସହ ଯୁବ ଅଧିକାର ପତ୍ରକୁ ଉନ୍ମୋଚିତ କରିଥିଲେ। ପ୍ରଶାନ୍ତ କୁମାର ରଣସିଂ କାର୍ଯ୍ୟକ୍ରମ ବାବଦରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମାନସ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।