ନୂଆପଡା ବିଦ୍ୟୁତ୍ ସେକ୍ସନ : ବିଦ୍ୟୁତ୍ ଷ୍ଟ୍ରକଚରରେ ସ୍ଥାପିତ ୮-ଏମଭିଏ କାର୍ଯ୍ୟକ୍ଷମ ହେଉନଥିବାରୁ ୮ହଜାର ବିଦ୍ୟୁତ୍ ଉପଭୋକ୍ତା ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ରୁ ବଂଚିତ

ଗରଦପୁର, ୨୬/୦୪/୨୦୨୪ (ଓଡ଼ିଶା ସମାଚାର)- ଦୀର୍ଘ ଦୁଇ ବର୍ଷ ବିତିଯାଇଥିଲ ସୁଦ୍ଧା ଠିକାଦାରଙ୍କ ଅବହେଳା ଓ ଦାୟିତ୍ୱ ହୀନତା ଯୋଗୁଁ ବେଡାରୀ ବିଦ୍ୟୁତ୍ ଷ୍ଟ୍ରକ୍ଚରରେ ସ୍ଥାପିତ ହୋଇଥିବା ନୂତନ ବିଦ୍ୟୁତ୍ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ । ଫଳରେ ଏହା ଅଧିନରେ ରହିଥିବା ବିଦ୍ୟୁତ୍ ଉପଭୋକ୍ତାମାନେ ନିରବଛିନ୍ନ ଭାବରେ ବିଦ୍ୟୁତ୍ ଯୋଗାଣ ପାଇବାରୁ ବଂଚିତ ହେଉଛନ୍ତି । ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ଗରଦପୁର ବ୍ଲକ ଅନ୍ତର୍ଗତ ନୂଆପଡା ବିଦ୍ୟୁତ୍ ସେକ୍ସନ ଅଧିନରେ ପାଟକୁରା ପୁରୁଣା,ପାଟକୁରା ନୂଆ,ଅନ୍ତେଇ ଓ ଆେଙ୍କା ବିଦ୍ୟୁତ୍ ଫିଡରମାନ ରହି ଅଂଚଳର ଉପଭୋକ୍ତାମାନଙ୍କୁ ନିୟମିତ ଭାବରେ ବୁଦ୍ୟୁତ୍ ଯୋଗାଣ କରୁଛି । ଏହି ବିଦ୍ୟୁତ୍ ସେକ୍ସନ ଅଧିନରେ ଗରଦପୁର,ମାର୍ଶାଘାଇ ଓ ମହାକାଳପଡା ବ୍ଳକ ଅଧିନରେ ଥିବା ୨୧ଗୋଟି ଗ୍ରାମପଂଚାୟତର ମୋଟ ୧୨୮ଗୋଟି ଗ୍ରାମ ରହିଥିବାବେଳେ, ମୋଟ ୧୯ହଜାର ବିଦ୍ୟୁତ୍ ଉପଭୋକ୍ତା ରହିଛନ୍ତି । ଉପଭୋକ୍ତମାନଙ୍କୁ ସହଜରେ ବିଦ୍ୟୁତ୍ ଯୋଗାଣ କରାଯିବା ପାଇଁ କମ୍ପାନି ପକ୍ଷରୁ ଜଣେ ସହକାରୀ ଯନ୍ତ୍ରୀ ଓ ଦୁଇ ଜଣ କନିଷ୍ଟ ଯନ୍ତ୍ରୀ ମାନଙ୍କ ସହିତ ବିଦ୍ୟୁତ୍ କର୍ମଚାରୀମାନେ ରହି କାର୍ଯ୍ୟ କରୁଛନ୍ତି । ଅଂଚଳକୁ ବିଦ୍ୟୁତ୍ ଯୋଗାଣ ସହଜ ଓ ନିରବଛିନ୍ନ ଭାବରେ ବିଦ୍ୟୁତ୍ ଯୋଗାଣ କରାଯିବା ପାଇଁ ଗତ ୫ବର୍ଷ ପୂର୍ବରୁ ନୂଆପଡା ବିଦ୍ୟୁତ୍ ସେକ୍ସନ ଅଧିନରେ ବେଡାରୀ ଠାରେ ଥିବା ବିଦ୍ୟୁତ୍ ଷ୍ଟ୍ରକ୍ଚରରେ ଦୁଇ ଗୋଟି ନୂତନ ୮-ଏମ୍ଭିଏ ର ବିଦ୍ୟୁତ୍ ପାୱାର ଟ୍ରାନ୍ସଫର୍ମର ସ୍ଥାପନା କରାଯାଇଛି । ସେଥି ମଧ୍ୟରୁ ଆଜି ସୁଦ୍ଧା ଗୋଟିଏ ୮-ଏମ୍ଭିଏ କାର୍ଯ୍ୟକାରୀ କରାଯାଇଛି । ଏହି ୮-ଏମ୍ଭିଏରୁ ପାଟକୁରା ନୂତନ ଓ ଅନ୍ତେଇ ଫିଡରକୁ ବିଦ୍ୟୁତ୍ ଯୋଗାଣ କରାଯାଉଛି । କିନ୍ତୁ ସ୍ଥାପିତ ହୋଇଥିବା ଅନ୍ୟ ଏକ ୮-ଏମ୍ଭିଏ ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ପାରି ନାହିଁ । ଏହି ୮-ଏମ୍ଭିଏ କାର୍ଯ୍ୟକ୍ଷମ କରାଗଲେ ଅଂଚଳର ଆେଙ୍କା ଏବଂ ନାରାୟଣପୁର ଫିଡରକୁ ବିଦ୍ୟୁତ୍ ଯୋଗାଣ କରାଯିବାର କମ୍ପାନି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଫଳରେ ଆେଙ୍କା ଓ ନାରଣପୁର ଦୁଇଗୋଟି ଫିଡର ଅଧିନରେ ରହିଥିବା ବିଦ୍ୟୁତ୍ ଉପଭୋକ୍ତାମାନେ ଏହି ୮-ଏମଭିଏରୁ ବିଦ୍ୟୁତ୍ ପାଇ ପାରୁ ନାହାଁନ୍ତି । ଏହି କାର୍ଯ୍ୟ କରୁଥିବା ଠିକାଦାର ଦୁଇ ବର୍ଷ ହେଲା ଅଂଚଳର କେତେକ ସ୍ଥାନରେ କେବଳ ବିଦ୍ୟୁତ୍ ଖୁଂଟ ପକାଇବା କାମ ବନ୍ଦ କରି ଦେଇଛି । ଫଳରେ ଏହି ଦୁଇଟି ଫିଡର ଅଧିନରେ ରହିଥିବା ଉପଭୋକ୍ତାମାନେ ନିରବଛିନ୍ନ ଭାବରେ ବିଦ୍ୟୁତ୍ ଯୋଗାଣ ସେବା ପାଇବାରୁ ବଂଚିତ ହେଉଛନ୍ତି । ବାରମ୍ବାର ବିଦ୍ୟୁତ୍ କାଟ ଭଳି ସମସ୍ୟା ଉପୁଜୁଛି । ପ୍ରକାଶ ଯେ, ଆେଙ୍କା ଓ ନାରଣପୁର ଫିଡର ଲୁଣା ବିଦ୍ୟୁତ୍ ସେକ୍ସନରୁ ବିଦ୍ୟୁତ୍ ସଂଯୋଗ ନେଇଥିବାବେଳେ,ନୂଆପଡା ବିଦ୍ୟୁତ୍ ସେକ୍ସନ କେବଳ ଏହାକୁ ନିୟନ୍ତ୍ରଣ କରୁଛି । ୫ ବର୍ଷ ପୂର୍ବରୁ ଗୁପ୍ତା ପାୱାର କମ୍ପାନି ଏହି କାର୍ଯ୍ୟକୁ ହାତକୁ ନେଇ ଠିକାଦାରୀ କାର୍ଯ୍ୟ କରିଥିଲା । ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ନ କରି ଅଧପନ୍ତରିଆ ଭାବରେ କାମ କରି ଛାଡି ପଳାଇଥିବାରୁ ଆେଙ୍କା ଓ ନାରଣପୁର ବିଦ୍ୟୁତ୍ ଫିଡରକୁ ନୂଆପଡା ବିଦ୍ୟୁତ୍ ସେକ୍ସନ ଅଧିନରେ ରହିଥିବା ବେଡାରୀ ଷ୍ଟ୍ରକ୍ଚରରେ ସ୍ଥାପିତ ହୋଇଥିବା ୮-ଏମ୍ଭିଏରୁ ବିଦ୍ୟୁତ୍ ସଂଯୋଗ ହୋଇ ପାରୁ ନାହିଁ । ଫଳରେ ଏହା ଅଧିନରେ ଥିବା ପ୍ରାୟ ୮ହଜାର ବିଦ୍ୟୁତ୍ ଉପଭୋକ୍ତା ନିରବଛିନ୍ନ ଭାବରେ ବିଦ୍ୟୁତ୍ ଯୋଗାଣ ସେବା ପାଇ ପାରୁ ନାହାଁନ୍ତି । ସମାନ୍ୟ ବର୍ଷା ହେଉ କିମ୍ବା କାଳବୈଶାଖୀ ପ୍ରଭାବରେ ପବନ ହେଉ କୌଣସି ନା କୌଣସି ସ୍ଥାନରେ ବିଦ୍ୟୁତ୍ ଯୋଗାଣରେ ଗୁରୁତର ବିଭ୍ରାଟ ହେଉଛି । ଉଚ୍ଚ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ବେଡାରୀ ଠାରେ ସ୍ଥାପିତ ହୋଇଥିବା ୮-ଏମଭିଏକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଦ୍ୟୁତ୍ ଉପଭୋକ୍ତା ମହଲରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *