କଳା, ସଂସ୍କୃତି ଓ ବିଜ୍ଞାନର ଅପୂର୍ବ ସମନ୍ଵୟ: ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି

ପୁରୀ ଜିଲ୍ଲା କଣାସ ମଣ୍ଡଳ ଖଣ୍ଡହତା ଗ୍ରାମପଞ୍ଚାୟତ ଅଧୀନ ତିଗିରିଆ ଗ୍ରାମରେ ଜନ୍ମିତ ଶ୍ରୀ ବିଭୂତି ଭୂଷଣ ଚମ୍ପତ୍ତି ଶୈଶବରୁ ପାରମ୍ପରିକ ଗୀତ, ନୃତ୍ୟ ଏବଂ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ପାଠ ପଢାରେ ଅତି ଦୁର୍ବଳ ଥିବା ଦେଖି ପିତା ବିଜୟ କୁମାର ଚମ୍ପତ୍ତି ଏବଂ ମାତା ଶଶି ରେଖା ଚମ୍ପତ୍ତି ତାଙ୍କୁ କଳା ଶିକ୍ଷା ମାର୍ଗରେ ନେବା ପାଇଁ ନିଷ୍ପତି ନେଲେ। ୨୦୦୦ ମସିହା ରେ ସେ ଐତିହ ଗ୍ରାମ ରଘୁରାଜପୁର ପଦ୍ମଶ୍ରୀ ଗୁରୁ ମାଗୁଣି ଦାସ ଙ୍କ ଗୋଟିପୁଅ ଗୁରୁକୂଳ ରେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ଗୁରୁକୂଳ ରେ ସେ ଖୁବ୍ କମ୍ ସମୟ ମଧ୍ୟରେ ନୃତ୍ୟ, ଗୀତ ଏବଂ ବାଦ୍ୟ ରେ ଅତି ଚମତ୍କାର ପ୍ରଦର୍ଶନ କରିପାରିଥିଲେ। ଓଡ଼ିଶା ତଥା ଭାରତର ବିଭିନ୍ନ ସମ୍ମାନଜନକ ମଞ୍ଚରେ ତାଙ୍କର କଳାତ୍ମକ ପରିବେଷଣ ସମସ୍ତଙ୍କୁ ସ୍ତମ୍ଭିଭୂତ କରୁଥିଲା ଏବଂ ସେ ଅନେକ ପୁରସ୍କାର ଓ ସମ୍ମାନ ଅଧିକାରୀ ହୋଇପାରିଥିଲେ। କଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଥିଲେ ମଧ୍ୟ ସେ ପାଠ ପଢାରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅତ୍ୟନ୍ତ ଦୁର୍ବଳ ଥିଲେ। କିନ୍ତୁ ତାଙ୍କ ଭିତରେ ପାଠ ପଢ଼ିବାର ପ୍ରତିଭା ହରଚଣ୍ଡୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ସଠିକ୍ ଭାବେ ଆକଳନ କରିପାରିଥିଲେ। ଦଶମ ଶ୍ରେଣୀ ର ପ୍ରାରମ୍ଭରେ ବିଭୂତି ଙ୍କୁ କିଛି ଦିନ ପାଇଁ ନୃତ୍ୟ, ବାଦ୍ୟ ଏବଂ ସଙ୍ଗୀତ କୁ ବିରାମ ଦେଇ ପାଠ ପଢାରେ ମନ ଦେବାକୁ ଶ୍ରୀଯୁକ୍ତ ମିଶ୍ର ପରାମର୍ଶ ଦେଇଥିଲେ। କୁହାଯାଏ ଗୋଟିପୁଅ କଳା କ୍ଷେତ୍ର ରେ ବିଭୂତି ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ଦଶମ ଶ୍ରେଣୀ ରେ ୭୦% ରୁ ଅଧିକ ସଂଖ୍ୟାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ଏହି ସଫଳତା ସେତେବେଳେ ସମସ୍ତଙ୍କୁ ଚକିତ କରିଥିଲା। ପରେ ପରେ ସଙ୍ଗୀତ ସହିତ ସାମନ୍ତ ଚନ୍ଦ୍ର ଶେଖର କନିଷ୍ଠ ଏବଂ ସ୍ଵୟଂ ଶାସିତ ମହାବିଦୟାଳୟ ରୁ ବିଜ୍ଞାନରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପରୀକ୍ଷା ରେ ପ୍ରଥମ ବର୍ଗ ରେ ଉତ୍ତୀର୍ଣ୍ଣ ହେଇଥିଲେ। ଏହି ସମୟରେ ସେ ମର୍ଦ୍ଦଳ ର ଉଚ୍ଚ ସ୍ତରୀୟ ଶିକ୍ଷା ପାଇଁ ରାମହରି ଦାସ ଓଡ଼ିଶୀ ଗୁରୁକୂଳ ରେ ଯୋଗ ଦେଲେ ଏବଂ ପ୍ରଖ୍ୟାତ ମର୍ଦ୍ଦଳ ଗୁରୁ, ଗୁରୁ ଧନେଶ୍ଵର ସ୍ୱାଇଁଙ୍କ ଠାରୁ ମର୍ଦ୍ଦଳ ଶିକ୍ଷା ଆରମ୍ଭ କଲେ। ସେ ରେଭେନ୍ସା ବିଶ୍ଵବିଦ୍ୟାଳୟ ରୁ ସ୍ନାତକୋତ୍ତର ଏବଂ ଭୂଷଣ (M. Phil.) ଶ୍ରେଣୀ ମଧ୍ୟ ପ୍ରଥମ ବର୍ଗ ରେ ଉତ୍ତୀର୍ଣ୍ଣ ହୋଇ ୨୦୧୮ ମସିହା ରେ ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅତିଥି ଅଧ୍ୟାପକ ଭାବେ ଯୋଗ ଦେଲେ। ୨୦୧୯ ରେ ବିଭୂତି ଜୈବ ପ୍ରଜୁକ୍ତି ବିଜ୍ଞାନ ରେ ବିବ୍ୟା ବାରିଧି ବା ବିଦ୍ୟା ବିଭୂଷଣ (Ph. D) ଅଧ୍ୟୟନ “ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ, ବିଭୁବନେଶ୍ୱର” ଠାରେ ପ୍ରାଧ୍ୟାପକ ଡ଼ଃ ସଂଘମିତ୍ରା ନାୟକ ଙ୍କ ତତ୍ଵାବଧାନରେ ପ୍ରାରମ୍ଭ କଲେ। ସେହି ସମୟର ରେ ଭାରତ ସରକାରଙ୍କ ଅଧିନରେ ଦୁଇଟି ବିଜ୍ଞାନ ପ୍ରକଳ୍ପ ରେ ସଫଳ ଗବେଷଣା କରିଥିଲେ। ତାଙ୍କର ବିଦ୍ୟା ବିଭୂଷଣ ଗବେଷଣା ସନ୍ଦର୍ଭ ଟି ( Chemotyping and artificial neural network modeling in medicinally important Andrographis paniculata and Asparagus recemosus for elite selection and drug yield optimization) ୱେଷ୍ଟ ଟେକ୍ସାସ ଏ ଏବଂ ଏମ୍ ବିଶ୍ଵବିଦ୍ୟାଳୟ ର ପ୍ରାଧ୍ୟାପକ ଡ଼ଃ. ନବାରୁନ୍ ଘୋଷ ଏବଂ ନାଗାଲାଣ୍ଡ ବିଶ୍ଵବିଦ୍ୟାଳୟ ର ପ୍ରାଧ୍ୟାପକ ଡ଼ଃ. ଚିତ୍ତ ରଂଜନ ଦେବ୍ ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇ “ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ” ଦ୍ଵାରା ବିଦ୍ୟା ବାରିଧି ଉପାଧି ପାଇଁ ଉପଯୁକ୍ତ ଘୋଷିତ ହୋଇଥିଲା। ବିଦ୍ୟା ବାରିଧି ଗବେଷଣା ସମୟରେ ସେ ୧୮ ରୁ ଉର୍ଦ୍ଧ୍ବ ବୈଜ୍ଞାନିକ ଅଲେଖ ପ୍ରକାଶ କରିଥିଲେ। ସେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୟ ବୈଜ୍ଞାନିକ ଆଲୋଚନା ଚକ୍ର ଏବଂ ସମ୍ମେଳନ ରେ ନିଜର ଗବେଷଣା ଲବ୍ଧ ଫଳାଫଳ କୁ ଉପସ୍ଥାପନା କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ତାଙ୍କ ର ଫଳପ୍ରଦ ଗବେଷଣା ପାଇଁ ଓଡ଼ିଶା ଉଦ୍ଭିଦ ବିଜ୍ଞାନୀ ସଂଘ (Orissa Botanical Association) ପକ୍ଷରୁ ଯୁବ ବୈଜ୍ଞାନିକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି।  ସେ ମଧ୍ୟ ସକ୍ଷମ ସମାଜ (Sakhyam Society) ରାଜସ୍ଥାନ ଦ୍ଵାରା ଯୁବ ଯୁବ ବୈଜ୍ଞାନିକ ସମ୍ମାନ ରେ ବିଭୂଷିତ ହୋଇଛନ୍ତି। ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ର ମର୍ଦ୍ଦଳ କ୍ଷେତ୍ରରେ ବରିଷ୍ଠ ବୃତ୍ତି ପାଇବା ସହ ଓଡ଼ିଶା ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ଆୟୋଜିତ ଉତ୍କର୍ଷ କାର୍ଯ୍ୟକ୍ରମ ରେ ଏକକ ମର୍ଦ୍ଦଳ ଶିକ୍ଷା ଏବଂ ପରିବେଷଣ କରିଛନ୍ତି । ସେ ଓଡ଼ିଶା ସଙ୍ଗୀତ ସମ୍ପର୍କିତ ତିନୋଟି ଆଲେଖ୍ୟ ବିଭିନ୍ନ ଅନ୍ତର୍ଜାତୀୟ ପତ୍ରିକା ରେ ପ୍ରକାଶିତ କରିଛନ୍ତି।  ଏହା ସହିତ ସେ ମଧ୍ୟ ରାମହରି ଦାସ ଓଡ଼ିଶୀ ଗୁରୁକୂଳ ରେ କୁନି କୁନି ବିଦ୍ୟାର୍ଥୀ ମାନଙ୍କୁ ମର୍ଦ୍ଦଳ ଶିକ୍ଷା ଦେଉଛନ୍ତି। ଉଭୟ କଳା ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସଫଳତା ଯୁବ ପିଢ଼ି ମାନଙ୍କୁ ବହୁଳ ଭାବେ ପ୍ରଭାବିତ କରିଛି । ଏଭଳି ଅଭୂତପୂର୍ବ ସଫଳତା ପାଇଁ ତାଙ୍କୁ ବୁଦ୍ଧିଜୀବି, କଳା ପ୍ରେମୀ ଏବଂ ଶିକ୍ଷାବିତ୍ ଙ୍କ ମହଲରୁ ଶୁଭେଛା ର ସୁଅ ଛୁଟିଛି। ବିଭୂତି ଙ୍କ ସମସ୍ତ ଗୁରୁ, ବନ୍ଧୁ ଏବଂ ପରିବାର ବର୍ଗ ଆହୁରି ଆଗକୁ ଯାଇ କଳା ଏବଂ ଶିକ୍ଷା କ୍ଷେତ୍ରର ଦେଶର ସେବା କରିବା ପାଇଁ ଆଶିର୍ବାଦ ଏବଂ ପ୍ରେରଣା ଦେଇଛନ୍ତି।

Leave a Reply

Your email address will not be published. Required fields are marked *