ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀଙ୍କୁ ଶ୍ରଦ୍ଧାଞ୍ଜଳି

                   ‘ଡ. ସଦାଶିବ ତି୍ରପାଠୀ ଥିଲେ ମାନବୀୟ ମୂଲ୍ୟବୋଧ, ନିଃସ୍ୱାର୍ଥପର ସମାଜସେବା ତଥା ରାଜନୀତି କ୍ଷେତ୍ରରେ ଅନନ୍ୟ ବ୍ୟକ୍ତିତ୍ୱ’

ଭୁବନେଶ୍ୱର,୨୧/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀ ଓଡ଼ିଶାର ଜାତୀୟ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିବା ସହ ମାନବୀୟ ମୂଲ୍ୟବୋଧ, ନିଃସ୍ୱାର୍ଥପର ସମାଜସେବା ତଥା ରାଜନୀତି କ୍ଷେତ୍ରରେ ଅନନ୍ୟ ବ୍ୟକ୍ତିତ୍ୱ ଭାବେ ପରିଚିତି ସୃଷ୍ଟି କରିଥିଲେ । ଗାଁଗଣ୍ଡାରେ ବାସ କରୁଥିବା ସାଧାରଣ ଆଦିବାସୀ ଓ ଦରିଦ୍ରତମ ଲୋକମାନଙ୍କ ନିକଟରେ ସ୍ୱାଧୀନତାର ସୁଫଳ ଉପଲବ୍ଧ ହେବା ତାଙ୍କର ଲକ୍ଷ୍ୟ ଥିଲା ବୋଲି ଅତିଥିମାନେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମତପ୍ରଦାନ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶାବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀ ଜଣେ ସରଳ, ନିଷ୍କପଟ ଓ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଥିଲେ । ତାଙ୍କର ତ୍ୟାଗ ଓ ବଳିଦାନର ପଟାନ୍ତର ନାହିଁ । ଜମିଦାର ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ଓଡ଼ିଶାରେ ଭୂସଂସ୍କାର ନୀତି ପ୍ରଣୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବାସ୍ତବରେ ତାଙ୍କର ସରଳ ଜୀବନଯାପନ ଏବଂ ନୀତି ଓ ଆଦର୍ଶ ହିଁ ତାଙ୍କର ପ୍ରକୃତ ଉତ୍ତରାଧିକାରୀ ବୋଲି ସେ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ କହିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀ କୌଣସି ପଦବୀ, ପ୍ରତିପତ୍ତି ଏବଂ କ୍ଷମତା ପ୍ରତି ଲାଳାୟିତ ନଥିଲେ । ଗରିବ ଓ ଅବହେଳିତମାନଙ୍କ ଦୁଃଖରେ ସେ ନିଜକୁ ସାମିଲ କରି ସେମାନଙ୍କ ଉନ୍ନତିକଳ୍ପେ ସତତ ଚେଷ୍ଟିତ ଥିଲେ । ରାଜ୍ୟବାସୀ ଓ ରାଜ୍ୟ ପ୍ରତି ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ତାଙ୍କୁ ଚିର ଅମର କରି ରଖିବ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ଏବଂ ସ୍ତମ୍ଭକାର ଶ୍ରୀ ପ୍ରହଲ୍ଲାଦ ସିଂହ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରି କହିଲେ ଯେ ତାଙ୍କ ଚିନ୍ତା, ଚେତନା, ଜ୍ଞାନ ଓ ବଚନ ଆଜୀବନ ସତ୍ୟର ସରଳରେଖାରେ ଚାଲିଥିଲା । ରାଜ୍ୟରେ ଅର୍ଥନୀତି ଓ ସାମାଜିକ ବିକାଶ ନିମନ୍ତେ ଶିକ୍ଷାର ମହତ୍ତ୍ୱକୁ ଉପଲବ୍ଧି କରି ସେ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ଦେଶର ସ୍ୱାଧୀନତା ସହିତ ରାଜ୍ୟରେ ସାମାଜିକ କ୍ରାନ୍ତି ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କ ଜୀବନ ସମର୍ପିତ ଥିଲା । ସେ ଥିଲେ ତ୍ୟାଗ ଓ ତିତୀକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ । ଭୂମିହୀନ ଜନତାଙ୍କ ପାଇଁ ତାଙ୍କ ସମୟରେ ପ୍ରବର୍ତ୍ତିତ ଭୂସଂସ୍କାର ଆଇନ       ତାଙ୍କୁ ଚିର ସ୍ମରଣୀୟ କରି ରଖିବ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶାବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରର ବରିଷ୍ଠ ସଦସ୍ୟ ଶ୍ରୀ ହୃଦୟ ରଞ୍ଜନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାଶ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *