ବାଲେଶ୍ୱର,୨୫/୦୬/୨୦୨୬ (ଓଡ଼ିଶା ସମାଚାର)- ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଗୁରୁବାର ଏକ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ,ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବ୍ୟବସାୟୀ ଶେଖ ହମିଦ ନିଜ କାରରେ ଅଡର ବଜାରକୁ ଆସୁଥିଲେ। ଏହି ସମୟରେ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଏକ ବାଇକରେ ତାଙ୍କୁ ପିଛା କରୁଥିଲେ। ହମିଦ କାରରୁ ଓହ୍ଲାଇବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ଗୁଳି ବାଜିବା ପରେ ହମିଦ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ପ୍ରାୟ ୮ ରାଉଣ୍ଡ ଗୁଳି ଫୁଟାଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁଳି ଫୁଟିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ଆହତ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କିଏ ଓ କାହିଁକି ଗୁଳିମାଡ କରିଛି, ତାହା ଅସ୍ପଷ୍ଟ ରହିଛି। ଖବର ପାଇ ସହଦେବଖୁଣ୍ଟା ପୁଲିସ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ନିକଟସ୍ଥ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ, ଗୁଳିକାଣ୍ଡ ପଛର କାରଣ ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ପୂର୍ବ ଶତ୍ରୁତା, ବ୍ୟବସାୟିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ଦିଗରେ ପୁଲିସ ତଦନ୍ତ କରୁଛି।
