ସାଲେପୁର,୧୯/୧୦/୨୦୨୬(ଓଡ଼ିଶା ସମାଚାର)- କଟକ ଜିଲ୍ଲା ସାଲେପୁର ଜପକୁଦ ଫାଣ୍ଡି ସମ୍ମୁଖ ବଜାରରେ ଗତ ୧୧ ତାରିଖରେ ଘଟିଥିବା ଜଳଖିଆ ଦୋକାନରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏହି ଅଘଟଣରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଏବେ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଏବେ ବି କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ଜପକୁଦ ଫାଣ୍ଡି ସମ୍ମୁଖ ବଜାରରେ ଦିନବନ୍ଧୁ ବେହେରାଙ୍କ ଜଳଖିଆ ଦୋକାନରେ ଗ୍ୟାସ୍ ଟାଙ୍କି ଫାଟିବା ଫଳରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତ ୧୨ ତାରିଖରେ ଆଶ୍ରିଫ ନାମକ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ପରେ ୧୬ ତାରିଖରେ ଜଳଖିଆ ଦୋକାନର ମାଲିକ ଦିନବନ୍ଧୁ ବେହେରା ଓ ଅନ୍ୟ ଜଣେ ଦୋକାନୀ ନିରଞ୍ଜନ ଦାସଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆଜି ପ୍ରେମାନନ୍ଦ ବେହୁରା ଓ ଅନ୍ୟ ଜଣେ ମୁସଲିମ୍ ମହିଳାଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି ଦୁଃଖଦ ଘଟଣାରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି।
ଅନ୍ୟ ଜଣେ ଗୁରୁତର ଏବେ ବି କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। ଏହି ଦୁଃଖଦ ଘଟଣାକୁ ନେଇ ସାଲେପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
