ଜଗତସିଂହପୁର, ୧୫/୦୪/୨୦୨୪ (ଓଡ଼ିଶା ସମାଚାର)-ସାରା ଓଡିଶାରେ ଆଗାମୀ ମେ ମାସ ଠାରୁ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏହି କ୍ରମରେ ଜଗତସିଂହପୁର ଜିଲ୍ଲା ରେ ଆସନ୍ତା ଜୁନ୍ ମାସ ୧ ତାରିଖ ଦିନ ଚତୁର୍ଥ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନ ଜଗତସିଂହପୁର ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅନୁପମ ସାହା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି ।
ଆଜି ଅଳକା ମହାବିଦ୍ୟାଳୟ ଠାରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ର ମତଦାନ କେନ୍ଦ୍ରରେ ପହଞ୍ଚି ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ବିଭିନ୍ନ ସଚେତନତା ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଥିଲେ। ପ୍ରଥମ ଥର ପାଇଁ ମତଦାନ କରିବାକୁ ଥିବା ନୂତନ ତଥା ଯୁବ ଭୋଟର ମାନଙ୍କୁ ଅନୁରୋଧ କରିବା ସହ ପୃଥିବୀର ସର୍ବ ବୃହତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମିଲ ହୋଇ ମତଦାନ କରିବା ପାଇଁ ଉତ୍ସାହିତ କରିଥିଲେ।ନିଜେ ମତଦାନ କରିବା ସହ ନିଜର ପିତାମାତା, ଅଭିଭାବକ ଏବଂ ସାହି ପଡିଶା ସାଙ୍ଗସାଥି ମାନେ ଯେପରି ଅଧିକ ରୁ ଅଧିକ ସଂଖ୍ୟାରେ ନିଜର ମତଦାନ ସାବ୍ୟସ୍ତ କରିବେ ସେଥିପାଇଁ ସଚେତନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସହକାରୀ
ଜିଲ୍ଲାପାଳ କଳ୍ପିତା କୁମାରୀ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ପ୍ରମୁଖ ଭୋଟର ମାନଙ୍କୁ ନିଜ ନିଜ ମତାମତ ସାବ୍ୟସ୍ତ କରିବାକୁ ଅନୁପ୍ରାଣିତ କରିବା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ଭୋଟ ର ମହତ୍ତ୍ୱ ବିଷୟ ରେ ବ୍ୟାପକ ସଚେତନ କରିଥିଲେ। ଏଥିସହିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଣତନ୍ତ୍ର କୁ ସୁଦୃଢ଼ କରିବା ପାଇଁ ସାମୁହିକ ଶପଥପାଠ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, ସ୍ଲୋଗାନ ଲିଖନ ଓ ରଙ୍ଗୋଲୀ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ଲୋଗାନ ଲିଖନ ରେ ଆଜମେର ଖାନମ,କୃଷ୍ଣଚନ୍ଦ୍ର ନାୟକ,ମହୀନୂର ଫିରଦୋସ, ଶୁଭମ ରାଉତ, ବିଶ୍ବ ବିଜୟିନୀ ପ୍ରମୂଖ +3 ବର୍ଗ ର ଛାତ୍ରଛାତ୍ରୀ ଉପଜିଲ୍ଲାପାଳ ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରୁଦ୍ର ପ୍ରସାଦ ମହାନ୍ତି, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।
ଅଳକା ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ
