ବିଭିନ୍ନ କମିଟି ତଥା ବିଭାଗ ତରଫରୁ ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ଆଲୋଚନା
ଭୁବନେଶ୍ୱର, ୨୧/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଗାମୀ ଜାନୁଆରୀ ୮ରୁ୧୦ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁଥିବା ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନରେ ଗତ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିବସୀୟ କାର୍ୟ୍ୟକ୍ରମକୁ ଭଲଭାବରେ ଏବଂ ଆକର୍ଷଣୀୟ ଭାବରେ ଅନୁଷ୍ଠିତ ହେବାପାଇଁ ବିଭିନ୍ନ ପର୍ୟ୍ୟାୟରେ ବୈଠକ ଓ ତଦନୁସାରେ କାର୍ୟ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଉପ-କମିଟିରେ ସଦସ୍ୟଥିବା ସଂପୃକ୍ତ ବିଭାଗୀୟ ସଚିବମାନେ ସେମାନଙ୍କର କାର୍ୟ୍ୟ ଅଗ୍ରଗତି ସଂପର୍କରେ ବୈଠକରେ ସୂଚନା ଦେବା ପୂର୍ବକ ପ୍ରସ୍ତୁତି ସଂପର୍କରେ ସବିଶେଷ ଆଲୋଚନା କରାଯାଇଥିଲା।
ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ଗତ ଡିସେମ୍ବର ୯ତାରିଖରେ ଜନତା ମଇଦାନ ଠାରେ ଭୂମିପୂଜନ କରାଯାଇଛି। କାର୍ୟ୍ୟକ୍ରମ ସ୍ଥଳରେ ଭି.ଭି.ଆଇ.ପି, ଅତିଥି,ପ୍ରବାସୀ ଭାରତୀୟ, ସ୍ଥାନୀୟ ଦର୍ଶକ ମାନଙ୍କ ବସିବା ବ୍ୟବସ୍ଥା, ଯାନବାହାନ ପାର୍କିଂସ୍ଥଳ,ପ୍ରବାସୀ ଭାରତୀୟଙ୍କ ଖାଦ୍ୟ ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି,ନକ୍ସା ଉପସ୍ଥାପନ ଓ ଅନୁମୋଦନ ମୁତାବକ କାର୍ୟ୍ୟ ଅଗ୍ରଗତି ଚାଲିଥିବା ସଂପର୍କରେ ଶିଳ୍ପ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା।
ପ୍ରବାସୀ ଭାରତୀୟ ଦିବସରେ ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ୟ୍ୟକ୍ରମରେ କେଉଁମାନେ ଅଂଶଗ୍ରହଣ କରିବେ,ତାହା ଓଡ଼ିଆ ଭାଷା ଓ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଚୂଡ଼ାନ୍ତ କରାଯାଇଛି। ଜାନୁଆରୀ ୭ରୁ୧୧ପର୍ୟ୍ୟନ୍ତ ରାଜାରାଣୀ ମ୍ୟୁଜିକ୍ ଫେଷ୍ଟିଭାଲ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଏବଂ ଏକାମ୍ରକାନନ ଠାରେ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ୮ଜାନୁଆରୀରେ ସାଂସ୍କୃତିକ ଫ୍ୟୁଜନ ନୃତ୍ୟ ପରିବେଷଣ, ୫ରୁ୧୫ ଜାନୁଆରୀ ପର୍ୟ୍ୟନ୍ତ ଆଦିବାସୀ ମେଳା, ୬ରୁ୧୨ ଜାନୁଆରୀ ପର୍ୟ୍ୟନ୍ତ ଚିଲିକା ପକ୍ଷୀ ଉତ୍ସବ, ୮ରୁ୧୦ ତାରିଖ ପର୍ୟ୍ୟନ୍ତ ଖାଦ୍ୟମେଳା, ପଥ ଉତ୍ସବ ଏବଂ ରାତ୍ରୀ କାଳୀନ ବଜାର (ନାଇଟ ମାର୍କେଟ୍)ଅନୁଷ୍ଠିତ ହେବା ନିମନ୍ତେ କାର୍ୟ୍ୟକ୍ରମ ସ୍ତିରୀକୃ ତହୋଇଛି। ଏହି ଅବସରରେ ପ୍ରାଚୀନରୁ ଆଧୁନିକ ପର୍ୟ୍ୟନ୍ତ ଓଡ଼ିଶାର ଗୌରବ( ଗ୍ଲୋରିଅସ୍ ଓଡ଼ିଶା ଫ୍ରମ୍ ଆନସିଏଣ୍ଟ ଟୁ ମଡର୍ଣ୍ଣ) ଉପରେ ଆଧାରିତ ଓଡ଼ିଶା ଥିମ୍ପାଲିଲିଅନ ଆୟୋଜିତ ହେବ।ଏହାର ରୂପରେଖ କିପରି ରହିବ, ସେଥିପାଇଁ ପ୍ରସ୍ତୁତି ଜାରି ରହିଛି।
ପ୍ରଥମଦିନ ଜାନୁଆରୀ୮ତାରିଖରେ ଯୁବ ପ୍ରବାସୀ ଭାରତୀୟ ଦିବସ, ଜାନୁଆରୀ୯ରେ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଏବଂ ଶେଷଦିନ ଜାନୁଆରୀ୧୦ତାରିଖରେ ଉଦଯାପନୀ ଦିବସ ସହିତ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ।କାର୍ୟ୍ୟକ୍ରମର ପ୍ରସାର ପ୍ରଚାର ପାଇଁ ରାଜ୍ୟସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ମିଡିଆ ପ୍ଲାନ ପ୍ରସ୍ତୁତି ପୂର୍ବକ ଆବଶ୍ୟକ ପ୍ରସ୍ତାବ ଦିଆଯାଇଛି ।
ସହରରେ ଏହି କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ଚିହ୍ନଟ ହୋଇଥିବା ୫୫ଟି ରାସ୍ତାର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଜାରି ରହିଛି।ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା, ନିରାପତ୍ତା ତଥା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ଜାରି ରହିଛି।ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ଏହି ସମ୍ମିଳନୀରେ ଯୋଗଦାନ କରିବାକୁ ଥିବା ପରିପ୍ରେକ୍ଷୀରେ ବିଭିନ୍ନ ହୋଟେଲରେ ରହଣିପାଇଁ ପ୍ରକୋଷ୍ଠ ବୁକିଂ କରାଯାଇଛି ଏବଂ ଯୋଗଦେବାକୁ ଥିବା ପ୍ରବାସୀ ଭାରତୀୟ ମାନଙ୍କ ତରଫରୁ ପଞ୍ଜୀକରଣ ଜାରିରହିଛି।ସମ୍ମିଳନୀରେ ଯେପରି ଅଧିକରୁ ଅଧିକ ପ୍ରବାସୀ ଭାରତୀୟ ଯୋଗଦେବେ, ସେ ସଂପର୍କରେ ବ୍ୟବସ୍ଥା ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ଦେଶରେ ପ୍ରବାସୀ ଓଡିଆ ଅନୁଷ୍ଠାନ ମାନଙ୍କୁ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଅବଗତ କରାଯାଇଛି।
ପ୍ରବାସୀ ଭାରତୀୟମାନେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ ପାଇଁ ଯିବାକୁ ଥିବାରୁ ବିଶେଷକରି ଭୁବନେଶ୍ୱର,କଟକ ଓ ପୁରୀ ଆଦିରେ ଥିବା୨୮ଟି ଦର୍ଶନୀୟ ସ୍ଥାନର ସୌନ୍ଦର୍ୟ୍ୟକରଣ ପାଇଁ ପର୍ୟ୍ୟଟନ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି।ଏଥି ସହିତ ପ୍ରବାସୀ ଭାରତୀୟମାନେ ରାଜ୍ୟର ଅନ୍ୟ କେତେକ ଦର୍ଶନୀୟ ସ୍ଥାନକୁ ଯିବାର ସମ୍ଭାବନା ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସେ ସମସ୍ତ ସ୍ଥାନର ସୌନ୍ଦର୍ୟ୍ୟକରଣ, ପରିଚ୍ଛନ୍ନତା ଆଦିକୁ ମଧ୍ୟ ଦୃଷ୍ଟି ଦିଆଯିବା ସଂପର୍କରେ ଆଲୋଚନା କରାଯାଇଥିଲା। ପ୍ରବାସୀ ମାନଙ୍କ ଯାତାୟତ ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନ ବନ୍ଦରରେ ଏଥିପାଇଁ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଉପସ୍ଥାପନ କରାଯାଇଥିଲା।ଆୟୋଜନ ହେବାକୁଥିବା ପ୍ରଦର୍ଶନୀରେ ଓଡ଼ିଶା ପାଇଁ ଚିହ୍ନଟ କରାଯାଇଥିବା ୪୦ଟି ପ୍ରଦର୍ଶନୀଷ୍ଟଲରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ଉଦ୍ଦିଷ୍ଟ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରହିଥିବା ସଂପର୍କରେ ଆଲୋଚନା କରାଯାଇଥିଲା। ପୂର୍ତ୍ତ ବିଭାଗ ତରଫରୁ ରାଜ୍ୟ ସଂଗ୍ରହାଳୟ, ରବିନ୍ଦ୍ର ମଣ୍ଡପ, ଭଞ୍ଜ କଳାମଣ୍ଡପ, ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର, ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରର ସୌନ୍ଦର୍ୟ୍ୟ କରଣ କାର୍ୟ୍ୟ ଜାରି ରହିଛି ଏବଂ ଭୁବନେଶ୍ୱର,ପୁରୀ, କୋଣାର୍କ, ଚିଲିକାକୁ ସଂଲଗ୍ନ କରୁଥିବା ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ।
ଅନୁଷ୍ଠିତ ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁଗର୍ଗ, ଗୃହ (ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟଶାସନସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି ଖୁରାନିଆଙ୍କ ସମେତ ବିଭିନ୍ନ କମିଟିରେ ଥିବା ସଂପୃକ୍ତ ବିଭାଗର ପ୍ରମୁଖ ଶାସନସଚିବ ଏବଂ କମିଶନର ତଥା ଶାସନସଚିବ, ବିଏମସି କମିଶନର ,ଡିସିପି , ଭୁବନେଶ୍ୱର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
-୦-
ପଠାଣିରାଉତ, ମୁଖ୍ୟଶାସନସଚିବଙ୍କଲୋକସଂପର୍କଅଧିକାରୀ ଙ୍କ ସୌଜନ୍ୟ ରୁ