ବ୍ୟାଙ୍କ ଶିଳ୍ପରେ ନିଯୁକ୍ତିର ଦାବି ଓ ଆଉଟ୍ ସୋର୍ସିଂ ବିରୁଦ୍ଧରେ ଆନ୍ଦୋଳନର ଆହ୍ୱାନ : ରାଜନ ନାଗର

ଭୁବନେଶ୍ୱର,୨୬/୧୧/୨୦୨୩ (ଓଡ଼ିଶା ସମାଚାର)-ବ୍ୟାଙ୍କ ଶିଳ୍ପରେ ୩ଲକ୍ଷରୁ ଊଦ୍ଧ୍ୱର୍ ଶୂନ୍ୟସ୍ଥାନ ପୂରଣ କରା ନ ଯିବା ଏବଂ ନିତିଦିନିଆ କାର୍ଯ୍ୟକୁ ଠିକା ଓ ଆଉଟ୍ ସୋର୍ସିଂରେ ଦେବା ବିରୁଦ୍ଧରେ ବ୍ୟାଙ୍କ କର୍ମଚାରୀମାନେ ଦେଶ ବ୍ୟାପୀ ଆନ୍ଦୋଳନ କରୁଛନ୍ତି । ବ୍ୟାଙ୍କ କର୍ତୃପକ୍ଷ ଓ ସରକାର ବ୍ୟାଙ୍କର ଶ୍ରମଶକ୍ତି ଆକଳନ କରି ନିଯୁକ୍ତି ଦେବେ ଓ ଆଉଟ୍ ସୋର୍ସିଂ ସମ୍ପର୍କରେ ଆଲୋଚନା କରିବେ ବୋଲି କେନ୍ଦ୍ରୀୟ ଶ୍ରମ କମିଶନରଙ୍କ ଉପସ୍ଥିତିରେ ରାଜି ହୋଇଥିବାରୁ ବ୍ୟାଙ୍କ ଧର୍ମଘଟ ଓ ଆନ୍ଦୋଳନ ଏବେ ସ୍ଥଗିତ ରହିଛି । ତେବେ ଜାନୁୟାରୀ ୧୮ ଓ ୧୯ର ଧର୍ମଘଟ ଡାକରା ବଳବତର ରହିଛି ।

ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନଠାରେ ଅନୁଷ୍ଠିତ ଓଡ଼ିଶା ବ୍ୟାଙ୍କ ଅଫ୍ ବରୋଦା କର୍ମଚାରୀ ସଂଘର ତୈ୍ରବାର୍ଷିକ ସମ୍ମିଳନୀର ମୁଖ୍ୟ ଅତିଥି ଏଆଇବିଇଏର ସଭାପତି ରାଜନ ନାଗର ଏହା କହିଛନ୍ତି । ବିକାଶ ଓ ଅଭିବୃଦ୍ଧିରେ କର୍ମଚାରୀଙ୍କ ସହଯୋଗକୁ ସେ ପ୍ରଶଂସା କରିଥିଲେ । ବ୍ୟାଙ୍କର ଆହୁରି ବିକାଶ ଓ ବୃଦ୍ଧି ପାଇଁ ମିଳିମିଶି କାମ କରିବାକୁ ସେ ନିବେଦନ କରିଥିଲେ । କଟକର ଆଂଚଳିକ ପ୍ରବନ୍ଧକ ରଣଜିତ କୁମାର ମଧ୍ୟ ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ କିଶୋର ଜେନା, ଏଓବିଇଏର ସଭାପତି ସଞ୍ଜୀବ ପତି ଅଖିଳ ଭାରତ ବ୍ୟାଙ୍କ ଅଫ୍ ବରୋଦା କର୍ମଚାରୀ ସମନ୍ୱୟ ସମିତିର ସମ୍ପାଦକ ଜି.ଏନ. ଲାଲ ଓ ବିପିବିଇଏର ଉପସଭାପତି ସଲିଳ ଭଟ୍ଟାଚାର୍ଯ୍ୟ ଉଦ୍ବୋଧନ ଦେଇଥିଲେ ।

ମୁଖ୍ୟ ଅତିଥି ଏଆଇବିଇଏର ସଭାପତି ରାଜନ ନାଗର ତାଙ୍କର ଅଭିଭାଷଣରେ କହିଥିଲେ ଯେ, ବ୍ୟାଙ୍କଗୁଡ଼ିକ ପ୍ରଚୁର ଲାଭ କରିଥିଲେ ମଧ୍ୟ ବିପୁଳ ପରିମାଣର କର୍ପୋରେଟ୍ ଅନାଦେୟ ଋଣ ପ୍ରତିବର୍ଷ ଛାଡ଼ କରାଯାଉଥିବାରୁ ବ୍ୟାଙ୍କଗୁଡ଼ିକରେ ଲାଭ ପରିମାଣ ହ୍ରାସ ପାଉଛି । ଗତ ୧୦ ବର୍ଷରେ ଏହି ଋଣ ଛାଡ଼ର ପରିମାଣ ୨୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହେବ । ଏହି ଋଣ ଅସାଧୁ ବ୍ୟାଙ୍କ ଉଚ୍ଚ କର୍ତୃପକ୍ଷ ଓ ଲୋଭୀ କର୍ପୋରେଟ୍ ତଥା ସରକାରୀକଳର ଅସାଧୁ ମେଂଟ ଦ୍ୱାରା ପ୍ରଦାନ କରାଯାଇ ପରେ ଛାଡ଼ କରାଯାଉଛି । ଏହା ବିରୁଦ୍ଧରେ ଏଆଇବିଇଏ ଲଗାତର ଆନ୍ଦୋଳନ ଚଳାଇଛି । ଏହି ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦିଆଯାଇଥିଲା ।

ବ୍ୟାଙ୍କ ଅଫ୍ ବରୋଦା ସର୍ବ ଭାରତୀୟ କର୍ମଚାରୀ ସମିତିର ଅଧ୍ୟକ୍ଷ ସମ୍ମିଳନୀରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସେ ତାଙ୍କ ଭାଷଣରେ ବ୍ୟାଙ୍କ ଶିଳ୍ପର ଅବସ୍ଥା ସମ୍ପର୍କରେ ସୂଚନା ଦେବା ସହିତ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ନିବେଦନ କରିଥିଲେ । ବ୍ୟାଙ୍କ ଅଫ୍ ବରୋଦାର ଭୁବନେଶ୍ୱର ଆଂଚଳିକ ପ୍ରବନ୍ଧକ ରଣଜିତ କି୍ରଷ୍ଣା ସମ୍ମିଳନୀକୁ ଶୁଭେଚ୍ଛା ଜଣାଇଥିଲେ ଏବଂ ବ୍ୟାଙ୍କ ଅଫ୍ ବରୋଦାର ସଭାପତି ତଥା ସମ୍ମିଳନୀର ଅଭ୍ୟର୍ଥନା ସମିତିର ଚେୟାରମ୍ୟାନ ମନୋରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମିଳନୀରେ ଶଶିକାନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ସର୍ବଶ୍ରୀ ମନୋଜ କୁମାର ସାହୁ, ସୂର୍ଯ୍ୟକାନ୍ତ ଦାସ, ପ୍ରବୀର ନାୟକ ଓ ପ୍ରତିମା ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *