୨୪ ତାରିଖରେ ରାଜଧାନୀ ଭୁବନେଶ୍ବରର ରାଜରାସ୍ତା ରେ ପୁଣି  ‘ପଥଉତ୍ସବ’

ଭୁବନେଶ୍ୱର, ୧୬/୧୨/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତା ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରର ରାଜରାସ୍ତା ରେ ପୁଣି ଥରେ ରାଜରାସ୍ତା କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘ପଥଉତ୍ସବ’ର ଆୟୋଜନ କରାଯିବ। ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠଙ୍କ ପର୍ଯ୍ୟନ୍ତ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଂଚଳରେ ଧୁମ୍‌ଧାମରେ ପାଳିତ ହେବ ପଥ ଉତ୍ସବ। ବିଗତ ବର୍ଷ ଗୁଡିକ ଠାରୁ ଚଳିତ ବର୍ଷ ନୂଆଢ଼ଙ୍ଗରେ ଏବଂ ନୂଆରୂପରେ ପଥ ଉତ୍ସବ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ମେୟର  ସୁଲୋଚନା ଦାସ ଏବଂ କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ପରାମର୍ଶ କ୍ରମେ ଆଜି ବିଏମ୍‌ସିର ମୁଖ୍ୟାଳୟରେ ପଥୋତ୍ସବ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୪ ତାରିଖ (ରବିବାର) ଅର୍ଥାତ୍‌ ବଡ଼ଦିନ ପୂର୍ବରୁ ଚଳିତବର୍ଷର ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ ହେବ। ମାଷ୍ଟରକ୍ୟାଂଟିନ ଛକରୁ ରାମମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ମାଷ୍ଟରକ୍ୟାଂଟିନଠାରେ ମୁଖ୍ୟ ମଂଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ୱିତୀୟ ମଂଚ ନିର୍ମାଣ ହେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିରେ ବରିଷ୍ଠଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଏବଂ ଦିବ୍ୟାଙ୍ଗ -ସମସ୍ତବର୍ଗର ନାଗରିକ ସାମିଲ ହେବାକୁ କୁହାଯାଇଛି। ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟବଲ୍, ଲୁଡୁ, ସାଧାରଣଜ୍ଞାନ, ରଙ୍ଗୋଲି, ମ୍ୟାଜିକ୍‌ ସୋ’, କ୍ଲାଏ ଆର୍ଟ, ଫେସ୍ପେଂଟିଂ, ଜୁମ୍ବା ଆଦି ବିଭିନ୍ନ ବିଭାଗ ରହିଛି। ପୁରା ମାଷ୍ଟରକ୍ୟାଂଟିନ ଠାରୁ ଆରମ୍ଭ କରି ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଭୁବନେଶ୍ୱର ନାଗରିକ ଝୁମିବେ, ନାଚିବେ, ଗାଇବେ, ବ୍ୟାୟାମ କରିବେ ଏବଂ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହି ପଥଉତ୍ସବକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସକାଳ ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡ଼ା ସଂଗଠନ, କଳାକାର, ଏସ୍ଏଚ୍‌ଜି ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି। ବିଭିନ୍ନ କର୍ପୋରେଟର ନିଜ ଅଂଚଳର ଟ୍ୟାଲେଂଟଙ୍କ ବାବଦରେ ଜଣାଇ ଯୋଗ୍ୟ ବ୍ୟକ୍ତି କିପରି ସାମିଲ୍‌ ହେବେ ସେବାବଦରେ ସହଯୋଗ କରିବାକୁ କୁହାଯାଇଛି। ଯେଉଁମାନେ ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଯୋଗାଯୋଗ କରିବାକୁ ଅତିରିକ୍ତ କମିସନର କହିଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ନମ୍ବର ଜାରିହେବ।

ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଲୁଚି ରହିଥିବା କଳାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଗତ କିଛିବର୍ଷ ହେଲା ଭୁବନେଶ୍ୱରରେ ପଥଉତ୍ସବ ଅନୁଷ୍ଠିତ ହେଉଛି । ଚଳିତବର୍ଷ ୩ଗୋଟି ଜୋନ୍‌ରେ ଏହି ପଥଉତ୍ସବ ଅନୁଷ୍ଠିତହେବ। ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମଜୋନ୍‌ରେ ପଥ ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ, ଜାନୁଆରି ୭ଏବଂ ୨୧ତାରିଖରେ ଅନ୍ୟ ଦୁଇଟି ଜୋନ୍‌ରେ ଅନୁଷ୍ଠିତ ହେବ ବୋଲି କମିସନର କହିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିସନର ଡକ୍ଟର ମନୋରଂଜନ ସାହୁ, ଡେପୁଟି କମିସନର ପ୍ରିୟବ୍ରତ ପାଢୀ, ସମସ୍ତ ଡେପୁଟି କମିସନରଙ୍କ ସମେତ ସମସ୍ତ ଜୋନାଲ ଡେପୁଟି କମିସନର, ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ।

-0-

Leave a Reply

Your email address will not be published. Required fields are marked *