ନୀଳାଦ୍ରି ବିହାରୀ ମିଶ୍ରଙ୍କୁ ଅନ୍ତର୍ଜାତୀୟ ପୁରସ୍କାର

କେନ୍ଦୁଝର,୧୩/୦୪/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶାର ଅନ୍ୟ ପ୍ରାଚୀନତମ ଜୁଆଙ୍ଗ ଜନଜାତି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଥିବା ଓଡ଼ିଶାର ବିଶିଷ୍ଟ ଜନଜାତି ଗବେଷକ ଡକ୍ଟର ନୀଳାଦ୍ରି ବିହାରୀ ମିଶ୍ରଙ୍କୁ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି । ନେପାଳର ରାଜଧାନୀ କାଠମାଣ୍ଡୁଠାରେ ବାବୁ ଜଗଜ୍ଜୀବନ ରାମଙ୍କ ୧୧୭ତମ ଜନ୍ମଜୟନ୍ତୀରେ ପାଳିତ ସମତା ଦିବସରେ ନେପାଳ ଜାତୀୟ ସାମାଜିକ ଓ ଦଳିତ କଲ୍ୟାଣ ସଂସ୍ଥାନ ପକ୍ଷରୁ ଶ୍ରୀଯୁକ୍ତ ମିଶ୍ରଙ୍କୁ ଜୁଆଙ୍ଗ କମ୍ପରାଡେ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ବିଶିଷ୍ଟ ଆଇନଜୀବୀ ତଥା ସଂସ୍ଥାନ ସଭାପତି ତ୍ରିଲୋକ ଚାନ୍ଦ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ – ନେପାଳ ମୈତ୍ରୀ ମହାସଂଘ ସଭାପତି ଓମପ୍ରକାଶ ସ୍ୱର୍ଣ୍ଣକାର ଯୋଗ ଦେଇ ଶ୍ରୀଯୁକ୍ତ ମିଶ୍ରଙ୍କ ଜୁଆଙ୍ଗ ଗବେଷଣାର ଉଚ୍ଚପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମୀନା ସ୍ୱର୍ଣକାର ଓ ଏସ ଏନ୍ କୋଲି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗୋବର୍ଦ୍ଧନ କୋଲି ଓ ଏନ ଏସ ଖୋବା । କାର୍ଯ୍ୟକ୍ରମରେ ଭାରତ ବ୍ୟତୀତ ନେପାଳ ଓ ବାଂଲାଦେଶର ବିଭିନ୍ନ ଦଳିତ ସଙ୍ଗଠନର ପ୍ରତିନିଧି ଯୋଗ ଦେଇଥିଲେ । ଅଗମ୍ୟ ପାହାଡଘେରା କେନ୍ଦୁଝରର ବିଭିନ୍ନ ଜୁଆଙ୍ଗ ଗ୍ରାମକୁ ଯାଇ ସେଠାରୁ ତଥ୍ୟ ସଂଗ୍ରହ କରି ପୁସ୍ତକ ରଚନା କରିବା ସହଜସାଧ୍ୟ ନୂହେଁ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଡକ୍ଟର ମିଶ୍ର ଦୀର୍ଘ ଦଶନ୍ଧି ଧରି ଜୁଆଙ୍ଗ ଜନଜୀବନ ଗବେଷଣାରେ ସଂପୃକ୍ତ ଓ ତାଙ୍କର ରଚିତ ନାଳେ, ଆଗ, ବଂସାତି, ଆଂଚା, ରମାଏ ଓ ଜୁଆଙ୍ଗ ଶବ୍ଦକୋଷ ଆଦି ପୁସ୍ତକ ଜନଜାତି ଗବେଷକ ମହଲରେ ବହୁଳ ଭାବେ ଆଦୃତି ହାସଲ କରିଛି ।

Leave a Reply

Your email address will not be published. Required fields are marked *