ଜିଲ୍ଲା ସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ ୨୦୨୬ ପାଳିତ

ଯାଜପୁର,୨୭/୦୨/୨୦୨୬ (ଓଡ଼ିଶା ସମାଚାର)-ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ “ବିଶ୍ଵ ସାମାଜିକ ନ୍ୟାୟ ଦିବସ -୨୦୨୬” ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ କର ନିଜ ବକ୍ତବ୍ୟରେ କହିଥିଲେ ଯେ ବିଖ୍ୟାତ କବି ପାବ୍ଲୋ ନେରୁଦାଙ୍କ ପ୍ରଶ୍ନ କବିତା ଭଳି ଅନେକ ସମୟରେ ବରିଷ୍ଠ ନାଗରିକ ଏବଂ ଅବହେଳିତ ବର୍ଗର ଜନତା ପ୍ରଶ୍ନ କରନ୍ତି ଯେ ସମାଜର ଓ ପରିବାରର ଦାୟିତ୍ଵ ନେବା ପରେ ବି ସେମାନେ ଆଜି ସଂଘର୍ଷ କାହିଁକି କରୁଛନ୍ତି।

ତେଣୁ ସାମାଜିକ ଅବହେଳିତ ବର୍ଗଙ୍କୁ ଉଚିତ୍ ନ୍ୟାୟ ଦେବା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଟିତ ହେବା ଆବଶ୍ୟକ। ଏହାସହ ଜିଲ୍ଲାପାଳ ସାମାଜିକ ନ୍ୟାୟର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମ, ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାମନ୍ତ, ଅଗ୍ରଣୀ ବ୍ୟାଙ୍କ୍ ସଂଯୋଜକ ଶ୍ରୀ ସମର କୁମାର ପାଢ଼ୀ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବରିଷ୍ଠ ନାଗରିକମାନେ ଯୋଗଗୁରୁଙ୍କ ତତ୍ତ୍ୱାବଧାନରେ ଯୋଗ କରିଥିଲେ। ଏହା ସହ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ମାଗଣା ସ୍ଵାସ୍ଥ୍ୟଶିବିର ଆୟୋଜନ ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।

ବରିଷ୍ଠ ନାଗରିକମାନଙ୍କୁ ଆଇନଗତ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବ୍ୟାଙ୍କ ଏବଂ ପୋଷ୍ଟ ଅଫିସର ଅଧିକାରୀମାନେ ସାଇବର ଠକେଇରୁ ସୁରକ୍ଷା, ଆର୍ଥିକ ସ୍ୱାକ୍ଷରତା, ବିଭିନ୍ନ ଯୋଜନା ଓ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ପ୍ରାୟ ୧୮ ଟି ବରିଷ୍ଠ ନାଗରିକ ସଂଘ ଅଛନ୍ତି। ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ରହିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଅଗ୍ରଣୀ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ପଦାଧିକାରୀ, ବରିଷ୍ଠ ନାଗରିକ ମଞ୍ଚର ସଭାପତିଙ୍କ ସମେତ ବିଭିନ୍ନ ବ୍ଲକରୁ ଆସିଥିବା ବରିଷ୍ଠ ନାଗରିକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *