ମାହାଙ୍ଗା,୧୧/୦୪/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ଭଦ୍ରେଶ୍ୱର ଥାନା ଝଡ଼େଶ୍ୱରପୁର ଚୁଙ୍ଗୁଡ଼ିଆମୁହଁ ଗ୍ରାମର ଜନୈକ ନିଷ୍ପାପ ଶିଶୁ ଉପରେ ସରକାରୀ କାର୍ଯ୍ୟରେ ନିୟୋଜିତ ଏକ ଟ୍ରାକ୍ଟର ଚଢି ଯିବାରୁ, ଘଟଣାସ୍ଥଳରେ ପିୟୁଷ ନାମକ ଶିଶୁର ମୃତ୍ୟୁ ଘଟିଥିଲା । ଚିଙ୍ଗୁଡ଼ିଆମୁହଁ ଠାରେ ଆର ଡି ବିଭାଗ ପକ୍ଷରୁ ଏକ ବ୍ରିଜ ନିର୍ମାଣ ହେଉଥିବା ବେଳେ, ଏଠାରୁ ବେଆଇନ ଭାବେ ସରକାରୀ ଜମିରୁ ଶହଶହ ଟ୍ରିପ ମାଟି ନିଶ୍ଚିନ୍ତକୋଇଲି ଅଂଚଳକୁ ଚାଲାଣ ହେଉଥିଲା । ଏହି କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର ଗୁଡିକ ବେପରୁଆ ଭାବେ, ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ନିଜ ଘର ସାମ୍ନାରେ ଖେଳୁଥିବା ପିୟୁଷ ନାମକ ଅଢେଇ ବର୍ଷର ଶିଶୁ ପୁତ୍ର ଉପରେ ଏକ ମାଟି ବୋଝେଇ ଟ୍ରାକ୍ଟର ଚଢି ଯାଇଥିଲା । ଏହାକୁ ନେଇ ପରିବାର ପକ୍ଷରୁ ଭଦ୍ରେଶ୍ୱର ଥାନାରେ ଏତଲା ଦିଆଯାଇଥିଲା ।
କିନ୍ତୁ ଠିକାଦାର, ଡ୍ରାଇଭର, ଚୋରା ମାଟି ମାଫିଆ ଏବଂ ଏହି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ,କାହାରି ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନଥିଲା । ଏପରିକି ୮ ତାରିଖରୁ ଅଭିଯୋଗ ସତ୍ୱେ କେବଳ ଧର୍ମକୁ ଆଖିଠାର ସଦୃଶ ମୁଖ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ପୋଲିସ ପଛଘୁଞ୍ଚା ଦେଇଥିଲା । ଶିଶୁମୃତ୍ୟୁ ଘଟଣାକୁ ନେଇ ପୀଡିତ ପରିବାରକୁ ନ୍ୟାୟ ନମିଳିବାରୁ, ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଗ୍ରାମବାସୀ ଏବଂ ମୃତକର ପରିବାର ପକ୍ଷରୁ ଥାନା ଘେରାଉ କରାଯାଇଥିଲା । ଶହଶହ ଆନ୍ଦୋଳନକାରୀ ପୁରୁଷ ଏବଂ ମହିଳା ଭଦ୍ରେଶ୍ୱର ଥାନାକୁ ଘେରାଉ କରି ବାସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ମୋଟା ଅଙ୍କର ହାତଗୁଂଜା ନେଇ ଉଭୟ ତହସିଲ ଓ ପୋଲିସ ପ୍ରଶାସନ ଜାଣିଶୁଣି ଚୋରା ମାଟି ଚାଲାଣକାରୀଙ୍କୁ ପ୍ରୋତ୍ସାହନ ଦେଉଥିବାର ସଂଗୀନ ଅଭିଯୋଗ ହୋଇଛି । ଥାନା ଘେରାଉ ଖବର ପାଇବା ପରେ
ସାଲେପୁର ଏସଡିପିଓ, ମାହାଙ୍ଗା ଆଇଆଇସି ଘଟଣା ଉପରେ ଗୁରୁତ୍ୱ ଦେବା ସୂଚନା ମିଳିଛି । ଭଦ୍ରେଶ୍ୱର ଥାନା ପକ୍ଷରୁ ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରାଯାଇଥିଲା । ଦୋଷୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ସେ ନେଇ ଆନ୍ଦୋଳନକାରୀ ଅଡ଼ି ବସିବାରୁ, ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ ପଦକ୍ଷେପ ପାଇଁ ଆନ୍ଦୋଳନକାରୀ ନିଜ ଜିଦ ରେ ଅଟଳ ରହିବାରୁ, ପୋଲିସ ଆଇନ ଅନୁଯାୟୀ ପଦକ୍ଷେପ ପାଇଁ ରାଜି ହୋଇଥିଲା ।
ମାହାଙ୍ଗା ଶିଶୁମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ପୀଡିତ ପରିବାର ଏବଂ ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ
