୭ ଘଂଟା ପରେ ପୋର ୱେଲ ରୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ କନ୍ୟା

ସମ୍ବଲପୁର, ୧୨/୧୨/୨୦୨୩ (ଓଡ଼ିଶା ସମାଚାର)- ନବଜାତ ଶିଶୁକୁ ମାରିବା ପାଇଁ ହୋଇଥିବା ଉଦ୍ୟମ ବିଫଳ ହୋଇଛି। ଉଦ୍ଧାରକାରୀ ଟିମ୍ ସଫଳତାର ସହିତ ଶ୍ରୀରାମ ବୁଢା ଜଙ୍ଗଲରେ ପରିତ୍ୟକ୍ତ ନଳକୂପରୁ ନବଜାତ ଶିଶୁକୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଶିଶୁ ଟି ଏକ କନ୍ୟା ବୋଲି ଜଣାପଡ଼ିଛି । ଶିଶୁ କନ୍ୟା ଜୀବନ୍ତ ଉଦ୍ଧାର ପରେ ରାଜ୍ୟବାସୀ ଉଦ୍ଧାରକାରୀ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଗ୍ନିଶମ ବାହିନୀ, ପୁଲିସ ଏବଂ ଓଡ୍ରାଫ୍ ଟିମ୍ର କର୍ମଚାରୀଙ୍କ ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଳରେ ନବଜାତ ଶିଶୁକୁ ପ୍ରାୟ ୨୦ ଫୁଟ୍ ନଳକୂପ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି। ସୁରକ୍ଷିତ ଉଦ୍ଧାର ପରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଶିଶୁକୁ ଭୀମସାର କୁ ନିଆଯାଇଛି।
ସୂଚନା ଅନୁସାରେ ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲକୁ ଆଜି ଅପରାହ୍ଣରେ କିଛି ଲୋକ ଯାଇଥିଲେ। ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ନଳକୂପରୁ ଏକ ଶିଶୁର କ୍ରନ୍ଦନ ସେମାନେ ଶୁଣିବାକୁ ପାଇଥିଲେ। ଏନେଇ ଲୋକମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ଖବର ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମବାହିନୀ, ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଅପରାହ୍ନ ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିତ୍ୟକ୍ତ ନଳକୂଅରୁ ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟା ହୋଇଯିବାରୁ ଜେନେରେଟର ଲଗାଇ ଆଲୋକ ବ୍ୟବସ୍ଥା କରାଯାଇଥିଲା। ଏହି ଉଦ୍ଧାର କାର୍ୟ୍ୟରେ ୩ଟି ଜେସିବିକୁ ନିୟୋଜିତ କରାଯାଇଥିଲା। ଜେସିବିରେ ପ୍ରାୟ ୧୫ ଫୁଟ୍ ପର୍ୟ୍ୟନ୍ତ ଖୋଳାଯାଇଥିଲା। ଏହା ପରେ ଦମକଳ ବାହିନୀ, ପୁଲିସ ଓ ଓଡ୍ରାଫ୍ର କର୍ମୀମାନେ ବହୁ ସତର୍କତାର ସହିତ ମାନୁଆଲରେ ନଳକୂର ଚତୁଃପାର୍ଶ୍ବରେ ଖୋଳିଥିଲେ। ଶିଶୁର ଶ୍ବାସକ୍ରିୟା ପାଇଁ ଯେଭଳି ଅସୁବିଧା ନହେବ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ପରିତ୍ୟକ୍ତ ନଳକୂପ ପାଇପ୍ ରେ ଅମ୍ଲଜାନ ଲଗାଯାଇଥିଲା। ଶେଷରେ ନଳକୂପରୁ ନବଜାତକୁ ଉଦ୍ଧାର କରାଯାଇଥିଲା। ରଖେ ହରି ତ ମାରେ କିଏ ?

Leave a Reply

Your email address will not be published. Required fields are marked *