ଦାଦା ବଟିକୁ ନେଇ ଗୁଳିମାଡ, ଜଣେ ଗୁରୁତର ଆହତ, ପେଟରେ ବାଜିଛି ଗୁଳି

ଆଠଗଡ଼,୧୦/୦୪/୨୦୨୪ (ଓଡ଼ିଶା ସମାଚାର)- ଦାଦା ବଟିକୁ ନେଇ ଗୁଳିମାଡ । ଏହି ଗୁଳିକାଣ୍ଡ ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ମହିଧରପୁର ଗାଁ ରେ । ୪ ରୁ ଅଧିକ ଯୁବକ ଏକ କାର ରେ ଆସି ବିଶ୍ୱଜିତ ପଲେଇଙ୍କୁ ଗୁଳିମାଡ଼ କରିଥିଲେ । ବିଶ୍ୱଜିତଙ୍କ ପେଟରେ ଗୁଳି ବାଜିଛି । ଗୁରୁତର ଆହତ ବିଶ୍ୱଜିତ ଙ୍କୁ ପ୍ରଥମେ ଆଠଗଡ଼ ମେଡ଼ିକାଲ କୁ ନିଆଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ପହଂଚି ଘଟଣାର ଅନୁଧ୍ୟାନ କରୁଛି । ଦାଦା ବଟିକୁ ନେଇ ଗୁଳିମାଡ ହୋଇଥିବା ଆଲୋଚନା ହେଉଛି ।
ମହିଧରପୁର ଗ୍ରାମର ଏକ ଚାଷଜମିରୁ ଜେସିବି ସାହାଯ୍ୟରେ ମାଟି ଖୋଳି ଟ୍ରାକ୍ଟରରେ ନେଇ ମୁଖ୍ୟ ରାସ୍ତାକଡରେ ଏକ ଘରଡିହ ପ୍ଲଟରେ ପକାଯାଉଥିଲା । ଉକ୍ତ ଗ୍ରାମର ବୀରବର ପଲେଇଙ୍କ ପୁଅ ବିଶ୍ଵଜିତ ପଲେଇ ଓରଫ କୁଲୁ ଏହି ମାଟି ଖୋଳା ଓ ଅନ୍ୟତ୍ର ପକାଇବା କାମ କରୁଥିଲେ । କୁଲୁ ନିଜ ମାମୁଁଙ୍କ ଟ୍ରାକ୍ଟର ଚଳାଇ ମାଟି ନିଜେ ମାଟି ପକାଉଥିଲେ । ସନ୍ଧ୍ୟା ପ୍ରାୟ ୫.୩୦ ରେ ସେହି ମହିଧରପୁର ଗ୍ରାମର ମେଘନାଦ ପଲେଇଙ୍କ ପୁଅ ତଥା ପୂର୍ବରୁ ବହୁ ଅପରାଧରେ ଜଡିତ ଦିଲ୍ଲୀପ ପଲାଇ ଓରଫ ଦିଲୁ ଏକ ମାରୁତି ସ୍ୱିପ୍ଟ କାରରେ ଅନ୍ୟ ୩-୪ ଜଣଙ୍କ ଆସି କୁଲୁ ଓରଫ ବିଶ୍ଵଜିତକୁ ୫୦ ହଜାର ଟଙ୍କା ବଟି ମାଗିଥିଲେ । କୁଲୁ ଟଙ୍କା ଦେବାକୁ ମନା କରିବାରୁ ଦିଲୁ ହଠାତ ଏକ ପିସ୍ତଲ ବାହାର କରି ଟ୍ରାକ୍ଟର ଉପରେ ବସିଥିବା କୁଲୁ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା । ଗୁଳିଟି କୁଲୁଙ୍କ ପେଟର ଡାହାଣ ପାର୍ଶ୍ବରେ ପଶିଯିବାରୁ ସେ ସେଠାରେ ପଡିଯାଇଥିଲେ । ଗୁଳିକାଣ୍ଡ ଘଟାଇ ଦିଲୁ ଅନ୍ୟମାନଙ୍କ ସହ ସେଠାରୁ ଆଣିଥିବା କାରରେ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ କୁଲୁଙ୍କୁ ପରିବାର ଲୋକ ତୁରନ୍ତ ଆଠଗଡ ଡାକ୍ତରଖାନା ଆଣିଥିଲେ । ଗୁଳିଟି ପେଟ ଭିତରେ ରହିଯାଇଥିବାରୁ ଗୁରୁତର ଥିବା କୁଲୁଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସମ୍ପର୍କରେ ଆହତ କୁଲୁଙ୍କ ସାନଭାଇ ଅଭିଜିତ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *